କିଭ୍,ଏଜେନ୍ସି: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ। ଘନଘନ ବୋମା ମାଡକୁ ମିସାଇଲ ବର୍ଷାରେ ଖିନଭିନ ହୋଇଯାଉଛି ୟୁକ୍ରେନ। ଗତକାଲି(ମଙ୍ଗଳବାର) ରାତିରେ ଋଷ କିଭର ଟିଭି ଟାୱାର୍ସକୁ ଋଷ ଉଡାଇ ଦେଇଛି। ଏଥିସହ ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଏୟାର ଷ୍ଟ୍ରାଇକ କରିଛି। ଏହି ଏୟାର ଷ୍ଟ୍ରାଇକରେ ୮ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି।
ମଙ୍ଗଳବାର ଋଷ ଖାର୍କିଭର ପୂର୍ବ ସହରରେ ଥିବା ଏକ ସୁଉଚ୍ଚ ବିଲ୍ଡିଂ ଉପରେ ଏୟାର ଷ୍ଟ୍ରାଇକ କରିଛି। ଋଷୀୟ ମିସାଇଲ ମାଡରେ ଏକ ପ୍ରଶାସନିକ ବିଲ୍ଡିଂ ମଧ୍ୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ୟୁକ୍ରେନର ଜରୁରୀକାଳୀନ ସେବା ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଖାର୍କିଭ ଏୟାର ଷ୍ଟ୍ରାଇକରେ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଟିମ୍ ବିଲ୍ଡିଂର ଭଗ୍ନାବଶେଷ ମଧ୍ୟରୁ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରିଛନ୍ତି।
ଖାର୍କିଭ ୟୁକ୍ରେନର ଦ୍ବିତୀୟ ସର୍ବବୃହତ୍ ସହର ହୋଇଥିବା ବେଳେ ଏହା ଋଷିଆ ବର୍ଡର ନିକଟରେ ରହିଛି। ତେଣୁ ଏହିଠାରେ ବିଶେଷ ଭାବେ ଋଷ ସେନା ଏବଂ ୟୁକ୍ରେନ ସେନା ମୁହାଁମୁହିଁ ହେଉଛନ୍ତି। ଖାର୍କିଭ ଓ କିଭ୍ ଅକ୍ତିଆର କରିବାକୁ ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରୁଛି। ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ କରିଛି।