ବୁକାରେଷ୍ଟ ଏୟାରପୋର୍ଟରେ ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ ଦେଶ- ବିଦେଶ By Nitidin On Mar 2, 2022 Share ନୂଆଦିଲ୍ଲୀ,ଏଜେନ୍ସି: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ ‘ଅପରେସନ ଗଙ୍ଗା’କୁ ଜୋରଦାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନାକୁ ସାମିଲ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ବାୟୁସେନାର ସି-୧୭ ବିମାନ ନାଗରିକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ। ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ବିମାନ ଯୋଗେ ଛାତ୍ରଛାତ୍ରୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ସାରିଥିବାବେଳେ ବିମାନ ଚଳାଚଳ ଜାରି ରହିଛି। ଇତିମଧ୍ୟରେ ଆଜି(ବୁଧବାର) ବୁକାରେଷ୍ଟ ବିମାନ ବନ୍ଦରରେ ବିମାନକୁ ଅପେକ୍ଷା କରିଥିବା କିଛି ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ରୋମାନିଆ ରାଜଧାନୀ ବୁକାରେଷ୍ଟରୁ ସମସ୍ତେ ସୁରକ୍ଷିତ ଭାବେ ଭାରତ ଫେରିବେ। ଚିନ୍ତା କରନ୍ତୁନି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ। ଋଷ ୟୁକ୍ରେନରେ ସାମରିକ ଅପରେସନ ଲଞ୍ଚ କରିବା ପରେ ଫେବୃୟାରୀ ୨୪ରେ ଅପରେସନ ଗଙ୍ଗା ମିଶନ ଆରମ୍ଭ ହୋଇଥିଲା। ମିଶନ ଗଙ୍ଗା ଜରିଆରେ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଅଣାଯାଉଛି। ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରୁ ଭାରତ ଫେରିଥିବାବେଳେ ଏବେ ବି ଶହ ଶହ ଭାରତୀୟ ଅପେକ୍ଷା କରିଛନ୍ତି। ଅପରେସନ ଗଙ୍ଗା ଚାଲିଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବାୟୁସେନାକୁ ସାମିଲ ହେବାକୁ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନରେ ଘମାଘୋଟ ଲଢେଇ ଜାରି ରହିଛି। ଘନଘନ କ୍ଷେପଣାସ୍ତ୍ର ମାଡ ସହ ବୋମା ପକାଉଛି ଋଷ। ତେଣୁ ଯେପରି ସମସ୍ତ ଭାରତୀୟଙ୍କୁ ୟୁକ୍ରେନରୁ ଫେରାଇ ଅଣାଯାଇପାରିବ ସେନେଇ ଅପେରସନ ଆରମ୍ଭ କରିବା ସହ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବାରେ ସହାୟତା କରିବାକୁ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜ୍ଜୁ ଓ ଭି. କେ ସିଂଙ୍କୁ ୟୁକ୍ରେନ ପଠାଇଛନ୍ତି ଭାରତ ସରକାର। କେନ୍ଦ୍ରମନ୍ତ୍ରୀ ଗଣ ସେଠାରେ ସ୍ଥିତି ଉପରେ ନଜର ରଖିବା ସହ ଛାତ୍ରଛାତ୍ରୀଙ୍କ ସହ ଲଗାତାର ଯୋଗଯୋଗରେ ରହିଛନ୍ତି। ବର୍ତ୍ତମାନ ୟୁକ୍ରେନର ଆକାଶମାର୍ଗ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ପଡୋଶୀ ଦେଶଗୁଡିକ ଜରିଆରେ ଅପରେସନ ଜାରି ରଖିଛି ଭାରତ। ପ୍ରଥମେ ଏୟାର ଇଣ୍ଡିଆ ବ୍ୟବହାର କରାଯାଇଥିବା ବେଳେ ଏବେ ସ୍ପାଇସଜେଟ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଭାରତୀୟ ବାୟୁସେନାର ପରିବହନ ବିମାନକୁ ମଧ୍ୟ ବ୍ୟବହାର କିରବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। Share