କଟକ,ଏନ୍ଏନ୍ଏସ୍: ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସତ୍ୟଭାମାପୁରସ୍ଥିତ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର କର୍ମକର୍ତ୍ତା ସୁଶ୍ରୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ସ୍ୱର୍ଣ୍ଣ-ସେବା ସମ୍ମାନ’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହା ବ୍ୟତୀତ ୬ ଜଣ କୃତୀ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍ୱର୍ଣ୍ଣଲତା ସ୍ମାରକୀ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଛି।
ମର୍କତନଗର ସେକ୍ଟର-୭ ସ୍ଥିତ ଆଶ୍ରୟ ଦି’ ସେଲଟର ପରିସରରେ ସ୍ୱର୍ଣ୍ଣଲତା ସେବା–ସହଯୋଗ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ପ୍ରଫେସର ଡାକ୍ତର ଅନୁପମା ପଣ୍ଡା ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରିଥିଲେ। ସେ ମା’ ଓ ମମତା ଉପରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ।
ହିନ୍ଦ୍ସେବକ ସଂଘର ରାଷ୍ଟ୍ରୀୟ ସଭାପତି ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ପରିବେଶ ବିଜ୍ଞାନୀ ଡଃ ଆଶୁତୋଷ ଦେବତା, ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶିକା ଅନିମା ଦାଶ, ଇଂ.କୃଷ୍ଣକୁମାର ଦାସବର୍ମା, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ଡକ୍ଟର ମିତା ଦେବତା, ପ୍ରଶାନ୍ତ ଦାସ, ପ୍ରମିଳା ଦାସବର୍ମା, ପ୍ରଦୀପ୍ତ କୁମାର ରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମ୍ପାଦକ ଡଃ ସତ୍ୟ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଶ୍ରୟର ସମ୍ପାଦିକା ସୁଜାତା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଡକ୍ଟର ସୁଚେତା ଜେନା ମାନପତ୍ର ପାଠ କରିଥିଲେ। ନିବେଦିତା ପାତ୍ର, ହିମାଂଶୁ ବାଳା ପଟ୍ଟନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।