ନୂଆଦିଲ୍ଲୀ: ଚାରା ଘୋଟାଲାର ପଞ୍ଚମ ମାମଲାରେ ବିହାରର ପୂର୍ବତମ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସଜା ଶୁଣାଯାଇଛି । ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୬୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି । ସିବିଆଇ ସ୍ୱତନ୍ତ୍ର କୋର୍ଟ ଜଜ୍ ଏସ କେ ଶଶି ଫେବୃଆରୀ ୧୫ରେ ଲାଲୁ ପ୍ରସାଦ ସମେତ ୩୮ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଲାଲୁ ଯାଦବ ଏବେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ଆଇପିସି ଧାରା ୪୦୯, ୪୨୦, ୪୬୭, ୪୬୮ ଓ ୪୭୧ ଏବଂ ଷଡ଼ଯନ୍ତ୍ର ସହ ଜଡ଼ିତ ୧୨୦ବି ଏବଂ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ଧାରା ୧୩(୨) ଦୋଷୀ ସାବ୍ୟସ୍ତ କରିଛନ୍ତି । ଉକ୍ତ ମାମଲାରେ ସିବିଆଇ ସର୍ବମୋଟ ୧୭୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ସେଥିମଧ୍ୟରୁ ୧୪୮ ଅଭିଯୁକ୍ତଙ୍କ ବିରୋଧରେ ୨୦୦୫ ସେପ୍ଟେମ୍ବର ୨୬ରେ ସଜା ଶୁଣାଯାଇଥିଲା ।
ସୂଚନାଯୋଗ୍ୟ, ଚାରା ଘୋଟାଲାର ୪ଟି ଭିନ୍ନ ଭିନ୍ନ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୧୪ ବର୍ଷର ସଜା ମିଳିସାରିଛି ।