ନୂଆଦିଲ୍ଲୀ,ଏଜେନ୍ସି: ଗତବର୍ଷ ଜାନୁଆରୀ ତାରିଖରେ ଦିଲ୍ଲୀରେ ହୋଇଥିବା ଚାଷୀମାନଙ୍କର ଟ୍ରାକ୍ଟର ରାଲି ଘଟଣାରେ ଚର୍ଚ୍ଚାକୁ ଆସିଥିବା ପଂଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ମଙ୍ଗଳବାର ରାତି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୀପ ସିଦ୍ଧୁ ନିଜର ଏନ୍ଆରଆଇ ବାନ୍ଧବୀ ରୀନା ରାୟଙ୍କ ସହିତ ଦିଲ୍ଲୀରୁ ପଞ୍ଜାବ ଫେରୁଥିବା ବେଳେ ଏକ ଟ୍ରକ ସହିତ ଧକ୍କା ହେବାରୁ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗଣମାଧ୍ୟମକୁ ପୁଲିସ ଦେଇଥିବା ସୂଚନା ଅନୁସାରେ କେଏମ୍ପିରେ ପିପଲୀ ଟୋଲପ୍ଲାଜା ନିକଟରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ରୀନା ରାୟ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି।
ଦୀପ ସିଦ୍ଧୁ ଦୁର୍ଘଟଣାର ସାମ୍ନା କରିବା ନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ପୁଲିସ କହିବା ଅନୁସାରେ ରାତି ୮ଟା ୩୦ମିନିଟରେ ଏହି ଦୁର୍ଘଟଣା ହୋଇଥିଲା। ଦୀପ ସିଦ୍ଧୁ ନିଜେ ସ୍କୋର୍ପିଓ ଚଳାଉଥିଲେ। ଦୁର୍ଘଟଣାସ୍ଥଳରେ ହିଁ ଦୀପ ସିଦ୍ଧୁଙ୍କର ମୃତ୍ୟୁ ହୋଇଥିଲା। ରୀନାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ଦୀପ ସିଦ୍ଧୁଙ୍କ ମୃତଦେହ ଖରଖୌଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। ଏସ୍ପି ରାହୁଲ ଶର୍ମା କହିଛନ୍ତି, ଆମକୁ ରାତି ସାଢ଼େ ୯ଟାରେ ସୂଚନା ମିଳିଥିଲା। ତାଙ୍କ ସହିତ ଜଣେ ମହିଳା ଥିଲେ। କିନ୍ତୁ ମହିଳା ଜଣକ ଭଲ ଅଛନ୍ତି। ସେମାନେ ଭତିଣ୍ଡା ଯାଉଥିଲେ। ପୁଲିସ ଦୁର୍ଘଟଣା ସଂପର୍କିତ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ସକାଳୁ ପହଞ୍ଚିବେ। ଏହା ପରେ ସିଦ୍ଧୁଙ୍କ ମୃତଦେହ ପୋଷ୍ଟମର୍ଟମ କରାଯିବ। ଟ୍ରକ ଡ୍ରାଇଭର ଫେରାର ଅଛି।
ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ପ୍ରସିଦ୍ଧ ଅଭିନେତା ଓ ସାମାଜିକ କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ପରଲୋକ ହୋଇଛି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।