ନବୀନ-ମୋଦୀ ଛାତ୍ର ବିରୋଧି: ପ୍ରଦେଶ ଛାତ୍ର କଂଗ୍ରେସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ରମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଘଣ୍ଟା ଧରି ରାଜରାସ୍ତା ଅବରୋଧ କରାଯାଇଥିଲା। ଛାତ୍ର ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା।

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଜାଲିଆତି
ଭ୍ରଦକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭିନ୍ନକ୍ଷମ ଓ ସ୍ପୋଟସ୍ ସାର୍ଟିଫିକେଟକୁ ଜାଲିଆତି କରି ନାମଲେଖା କରାଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ନମ୍ବର କଟଅଫ ମାର୍କ ତଳେ ରହିଛି ସେମାନଙ୍କ ଠାରୁ ଅର୍ଥ ଆଦାୟ କରି ଏହି ଜାଲିଆତି ସାର୍ଟିଫିକେଟ ଜରିଆରେ ଆଡମିଶନ କରାଯାଇଛି। ବିଶେଷକରି ଏହି ରାକେଟରେ ବିଜେଡ଼ି ନେତା, କଲେଜର ପ୍ରିନ୍ସିପାଲ ଏବଂ ଅଧ୍ୟାପକ ଏବଂ ଆଡମିଶନ ଦାୟିତ୍ୱରେ ଥିବା ଷ୍ଟାଫମାନେ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏହି ତଦନ୍ତର ଦାୟିତ୍ୱ ପ୍ରିନ୍ସିପାଲଙ୍କୁ ଦେବା ଦୁର୍ଭାଗ୍ୟଜନକ। କାରଣ ପ୍ରିନ୍ସିପାଲ ଏହି ରାକେଟକୁ ପରିଚାଳନ କରିବା ଅଭିଯୋଗ ହେଉଛି। ବିଶେଷ କରି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଏହି ମହାଦୁର୍ନୀତିକୁ ଚପାଇ ଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସାରା ଓଡ଼ିଶାର ବିଶ୍ୱବିଦ୍ୟାଳୟ, ସ୍ୱଂୟଶାସିତ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ମାନଙ୍କରେ ଏହି ଆଡମିଶନ ଦୁର୍ନୀତି ଚାଲିଥିବା ବେଳେ ଶିକ୍ଷାମନ୍ତ୍ରୀଙ୍କ ଏବଂ ଏହି ରାକେଟର ପରିଚାଳନା କରି ପ୍ରିନ୍ସିପାଲଙ୍କୁ ତଦନ୍ତ ଦାୟିତ୍ୱ ଦେବା ଦୁର୍ଭାଗ୍ୟଜନକ। ଏହି ମହାଦୁର୍ନୀତିର ବିଚାରବିଭାଗୀୟ ତଦନ୍ତ ପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି।

ଆର୍‌ଆର୍‌ବି ଏନଟିପିସି ଏବଂ ଗ୍ରୁପ୍‌-ଡି ପରୀକ୍ଷାରେ ତ୍ରୁଟି
ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରିବା ପାଇଁ ମୋଦୀ ସରକାର ଚାକିରି ଲୋଭ ଦେଖାଇ ପରୀକ୍ଷା କରାଇଥାନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ରେଳବାଇ ମନ୍ତ୍ରୀ ଆର୍‌ଆର୍‌ବି ଏନଟିପିସି ମାଧ୍ୟମରେ ପ୍ରାୟ ୩୫ ହଜାର ପଦବି ପୂରଣ ପାଇଁ ବିଜ୍ଞାପନ କରାଇଥିଲେ। ଗ୍ରୁପ-ଡିରେ ଲକ୍ଷ ଲକ୍ଷ ପୋଷ୍ଟ ପାଇଁ ମଧ୍ୟ ପରୀକ୍ଷା ବିଜ୍ଞାପନ ହୋଇଥିଲା। ଆର୍‌ଆର୍‌ବି ଏନଟିପିସି ପରୀକ୍ଷା ଦୁଇବର୍ଷ ପରେ ୨୦୨୧ ରେ ହେଲା ଏବଂ ୨୦୨୨ ରେ ଏହାର ଫଳାଫଳ ବାହାରିଲା। ଏହି ଫଳାଫଳରେ ବ୍ୟାପକ ଦୁର୍ନୀତି ହୋଇଛି। ଜଣେ ଛାତ୍ର ବା ଛାତ୍ରୀ ପାଞ୍ଚ-ଛଅଟି ପଦବୀ ପାଇବା ପାଇଁ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏଥିରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଇଛି। ରେଳବାଇର ପଦବୀ ବିକ୍ରି ପାଇଁ ଚକ୍ରାନ୍ତ ହୋଇଛି। ଜଣେ ପରୀକ୍ଷାର୍ଥୀକୁ ଗୋଟିଏ ପଦବୀ ପାଇବା ପାଇଁ ଯୋଗ୍ୟ କରାଯାଉ। ଫଳାଫଳକୁ ପରୀକ୍ଷା ନିରିକ୍ଷା କରି ଏବଂ ସଂଶୋଧନ କରି ପୁଣିଥରେ ଫଳାଫଳ ପ୍ରକାଶ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ୨୦୧୯ ମସିହାରେ ରେଳବାଇ ଗ୍ରୁପ-ଡି ନିମନ୍ତେ ବିଜ୍ଞାପନ ହୋଇଥିଲା। ଏହାର ପରୀକ୍ଷା ତିନିବର୍ଷ ପରେ ଫେବୃଆରୀ ମାସରେ ହେବାପାଇଁ ସୂଚନା ଦିଆଯାଇଥିଲା। ପୂର୍ବରୁ ସିବିଟି-୧ ବ୍ୟବସ୍ଥା ହେଉଥିଲା। ମାତ୍ର ଏବେ ସରକାର ଘୋଷଣା କଲେ ଯେ ସିବିଟି-୨ ପରୀକ୍ଷା ମଧ୍ୟ ହେବ। ଯେଉଁ ସଂପର୍କରେ ପୂର୍ବରୁ ସୂଚନା ଦିଆଯାଇ ନଥିଲା। ଗ୍ରୁପ-ଡିର କେବଳ ସିବିଟି- ୧ ପରୀକ୍ଷା କରିବାପାଇଁ ଛାତ୍ର କଂଗ୍ରେସ ଦାବି କରୁଛି। ଏତଦ୍‌ଭିନ୍ନ ଛାତ୍ରମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ପୁଲିସ ଏବଂ ସରକାରୀ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କୁ ଆଜୀବନ ପରୀକ୍ଷା ଦେବାରୁ ବଞ୍ଚିତ କରିବାପାଇଁ ଧମକ ଦେଉଥିବା ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର କଂଗ୍ରେସ ଦାବି କରୁଛି ।

ନିଟ୍ ପିଜି–୨୦୨୨ ପରୀକ୍ଷା ଘୁଞ୍ଚାଯାଉ
ଏମବିବିଏସ ଛାତ୍ରଛାତ୍ରୀମାନଙ୍କର କୋଭିଡ-୧୯ ମହାମାରୀ ପରିସ୍ଥିତି ପାଇଁ ଇଂଟର୍ଣ୍ଣସିପ୍ ସମାପ୍ତ ହୋଇପାରି ନାହିଁ। ତେଣୁ ସେମାନେ ନିଟ୍‌-ପିଜି ୨୦୨୨ ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରିବେ ନାହିଁ। ଏଣୁ ମାର୍ଚ୍ଚ ୧୨ ତାରିଖ ପାଇଁ ଧାର୍ଯ୍ୟ ହୋଇଥିବା ନିଟ-ପିଜି -୨୦୨୨ ପରୀକ୍ଷାକୁ ଘୁଂଚାଇବା ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି। ଯାହାଫଳରେ ଇଂଟର୍ଣ୍ଣସିପିରେ ଏମବିବିଏସ ଛାତଛାତ୍ରୀ ମାନେ ନିଟ୍‌ପିଜି ପରୀକ୍ଷା ଦେବାପାଇଁ ଯୋଗ୍ୟ ହୋଇପାରିବେ।

କେନ୍ଦ୍ରୀୟ ସଂସ୍ଥାରେ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ବୟସସୀମା କୋହଳ
କୋଭିଡ-୧୯ ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି। ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କର ବୟସସୀମା ଅତିକ୍ରମ କରିଯାଇଛି। ଏଣୁ ୟୁ.ପି.ଏସ୍‌.ସି, ଆଇ.ବି.ପି.ଏସ, ଏସ୍‌.ଏସ୍‌.ସି, ଯେ. ଇ. ଇ ପରୀକ୍ଷା ପାଇଁ ବୟସସୀମା ବଢ଼ାଇଲେ କୋଭିଡ-୧୯ ପାଇଁ କ୍ଷତିଗ୍ରସ୍ତ ହେଉଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।