କେପ୍ଟାଉନ୍,ଏଜେନ୍ସି: ସ୍ଥାନୀୟ ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତ ବିପକ୍ଷରେ ସାଉଥ୍ ଆଫ୍ରିକା ନିଜ ସ୍ଥିତି ମଜଭୁତ କରିଛି। ୨୧୨ ରନ୍ର ଟାର୍ଗେଟ୍କୁ ପିଛା କରୁଥିବା ଘରୋଇ ଟିମ୍ ତୃତୀୟ ଦିନର ଖେଳ ଶେଷ ବେଳକୁ ୨ ୱିକେଟ୍ ବିନିମୟରେ ୧୦୧ ରନ୍ ସଂଗ୍ରହ କରି ନେଇଛି। ଫଳରେ ଟିମ୍ ମ୍ୟାଚ୍ ଆଉ ଦୁଇଦିନ ବାକି ଥିବାବେଳେ ବିଜୟଠାରୁ ମାତ୍ର ୧୧୧ ରନ୍ ଦୂରରେ ରହିଛି। ଷ୍ଟମ୍ପ୍ସ ବେଳକୁ କିଗାନ୍ ପିଟର୍ସନ୍ ୪୮ ରନ୍ କରି ବ୍ୟାଟିଂ କରୁଥିଲେ। ଆଇଦେନ୍ ମାର୍କରମ୍ଙ୍କୁ ଆଉଟ୍ କରି ମହମ୍ମଦ ଶମୀ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୧୬ ରନ୍ରେ ଶମୀ ତାଙ୍କୁ ରାହୁଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। କ୍ୟାପ୍ଟେନ୍ ଡିନ୍ ଏଲ୍ଗାରଙ୍କ ସହ ଯୋଗ ଦେଇଥିବା ପିଟରସନ୍ ଇନିଂସ୍ ସମ୍ଭାଳିଥିଲେ ଏବଂ ଉଭୟ ଦ୍ୱିତୀୟ ଇନିଂସ୍ ପାଇଁ ୭୮ ରନ୍ର ପାର୍ଟନରଶିପ୍ ଛିଡ଼ା କରିଥିଲେ। ତେବେ ଏଲ୍ଗାର (୩୦)ଙ୍କୁ ବୁମ୍ରା ୱିକେଟ୍ ପଛରେ ପନ୍ତ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇ ଏହି ପାର୍ଟନର୍ଶିପ୍ରେ ବ୍ରେକ୍ ଲଗାଇଥିଲେ।
ଏହା ପୂର୍ବରୁ ଭାରତର ଦ୍ୱିତୀୟ ଇନିଂସ୍ ୧୯୮ ରନ୍ରେ ସୀମିତ ହୋଇଯାଇଥିଲା। ବିଷମ ପରିସ୍ଥିତି ସତ୍ତ୍ୱେ ଋଷଭ ପନ୍ତ୍ ଶତକ ହାସଲ କରିବା ସହ ୧୦୦ ରନ୍ରେ ଅପରାଜିତ ରହିଥିଲେ। ଏହା ଟେଷ୍ଟ କ୍ୟାରିୟର୍ରେ ପନ୍ତ୍ଙ୍କର ଚତୁର୍ଥ ଶତକ ଥିଲା। ସେହିପରି ଏହା ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ଏବଂ ସେନା ଦେଶରେ ତୃତୀୟ ଶତକ। ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକାରେ ଶତକ ହାସଲ କରିବାରେ ସେ ଏସିଆର ପ୍ରଥମ ୱିକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ପ୍ରଥମ ଇନିଂସ୍ ଆଧାରରେ ଭାରତ ୧୩ ରନ୍ରେ ଆଗୁଆ ଥିଲା। ଫଳରେ ସାଉଥ୍ ଆଫ୍ରିକାକୁ ୨୧୨ ରନ୍ର ଲକ୍ଷ୍ୟ ମିଳିଥିଲା । ପ୍ରଥମ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍ରେ ଭାରତ ସମସ୍ତ ୨୦ ୱିକେଟ୍ କ୍ୟାଚ୍ ଆଉଟ୍ ଭାବେ ହରାଇଥିଲା।
ତୃତୀୟ ଦିନର ଆରମ୍ଭରୁ ଭାରତର ପ୍ରଦର୍ଶନ ନିରାଶାଜନକ ଥିଲା। ଚେତେଶ୍ୱର ପୂଜାରା (୯) ଓ ଆଜିଙ୍କ୍ୟ ରାହାଣେ (୧)ଙ୍କ ୱିକେଟ୍ ଶୀଘ୍ର ହରାଇବା ପରେ କ୍ୟାପ୍ଟେନ୍ କୋହଲି ଓ ପନ୍ତ୍ ଇନିଂସ୍ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୯୪ ରନ୍ର ପାର୍ଟନର୍ଶିପ୍ ହୋଇଥିଲା। ତେବେ ଲଞ୍ଚ୍ ପରେ କୋହଲି ନିଜ ଇନିଂସ୍ ଆଗକୁ ବଢ଼ାଇ ନପାରି ୨୯ ରନ୍ରେ ଲୁଙ୍ଗି ଏନ୍ଗିଡିଙ୍କ ବଲ୍ରେ ମାର୍କରମ୍ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ। ଏହାପରେ ଏନ୍ଗିଡି ଶାର୍ଦ୍ଦୁଲ ଠାକୁର (୫) ଓ ଆର୍ ଅଶ୍ୱିନ (୭)ଙ୍କୁ ମଧ୍ୟ ଆଉଟ୍ କରିଥିଲେ। ଖାତା ଖୋଲିବାକୁ ପୂର୍ବରୁ ଉମେଶ ଯାଦବଙ୍କୁ ରବାଡା ଆଉଟ୍ କରିଥିବା ବେଳେ ଶମୀ(୦) ଓ ବୁମ୍ରା (୨)ଙ୍କ ୱିକେଟ୍ ମାର୍କୋ ଜାନ୍ସନ୍ଙ୍କୁ ମିଳିଥିଲା। ତୃତୀୟ ଦିନର ଦ୍ୱିତୀୟ ବଲ୍ରେ ପୂଜାରା ୯ ରନ୍ କରି ଜାନ୍ସନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ପରବର୍ତ୍ତୀ ଓଭର୍ରେ ରାହାଣେ ଆଉଟ୍ ହୋଇଥିଲେ। ଜାନ୍ସନ୍ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରବାଡା ଓ ଏନ୍ଗିଡିଙ୍କୁ ୩ଟି ଲେଖାଏଁ ସଫଳତା ମିଳିଥିଲା।
ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍କୁ ଜିତି ସାଉଥ୍ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୧ରେ ବରାବର କରିଥିଲା।