ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର଼,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ୧୧ ତାରିଖରୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି । ତେବେ ଶାସକ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତାମାନେ ଖୋଲାଖୋଲି ଭାବେ ଆଚରଣ ବିଧିକୁ ଉଲ୍ଲଂଘନ କରି ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବା ବିଜେପି ଅଭିଯୋଗ କରିଛି । ଏପରି ସ୍ଥଳେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ଦର୍ଶାଇ ଗୁରୁବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ପ୍ରତିନିଧିମଣ୍ଡଳୀ ।

ରାଜ୍ୟ ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ବିଜେପି ରାଜ୍ୟ ପଞ୍ଚାୟତିରାଜ ପ୍ରକୋଷ୍ଠ ସଂଯୋଜକ ଶଙ୍କର୍ଷଣ ପରିଡ଼ା, ରାଜ୍ୟ ବିଜେପି ଗଣମାଧ୍ୟମ ସହପ୍ରମୁଖ ସୁଜିତ କୁମାର ଦାସ ଏବଂ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଂପାଦକ ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ହୋଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଦଳ ପକ୍ଷରୁ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ବୁଧବାର ଗଞ୍ଜାମ ଜିଲ୍ଲା ପୋଲସରାରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗୁରୁବାର ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଠାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ରାଜଶ୍ରୀ ମଲ୍ଲିକ ଶତାଧିକ ବିଜେଡି ସମର୍ଥକଙ୍କ ଗହଣରେ ନିର୍ବାଚନୀ ସଭା ଆୟୋଜିତ କରିଥିଲେ । କରୋନା ଗାଇଡ଼ଲାଇନକୁ ଉଲ୍ଲଙ୍ଘନ କରିବା ସହ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀର ଅବମାନନା କରି ସେମାନେ ଏହି ସଭା କରାଇଥିଲେ । ମାତ୍ର, ଉଭୟ ସ୍ଥାନରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଆଖି ବୁଜି ଦେଇଥିଲା । ଏହା ଅନ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି ।

ଦଳୀୟ ପ୍ରତିନିଧିମଣ୍ଡଳୀ ଆହୁରି କହିଛନ୍ତି ଯେ ନିର୍ବାଚନକୁ ପ୍ରଭାବିତ କରିବା ଭଳି ସରକାରୀ ଦଳର ପର୍ଯ୍ୟାପ୍ତ ବିଜ୍ଞାପନ, ହୋର୍ଡିଂ ଓ ବ୍ୟାନର ଶାସକ ଦଳ ଦ୍ୱାରା ରାଜ୍ୟବ୍ୟାପୀ ଛାଇ ଯାଇଥିଲେ ମଧ୍ୟ ଏ ସବୁର ଉଚ୍ଛେଦ ଲାଗି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏଣୁ ନିର୍ବାଚନ କମିଶନ ଏତାଦୃଶ ଆଦର୍ଶ ଆଚରଣ ବିଧିର ବ୍ୟାପକ ଉଲ୍ଲଂଘନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବି କରିଛି । ଏହାବାଦ୍ କରୋନା ଗାଇଡ଼ଲାଇନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପୃଥକ ନିର୍ଦ୍ଦେଶନାମା ସାଧାରଣରେ ଦ୍ୱନ୍ଦ ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ରାଜ୍ୟବାସୀଙ୍କ ଦ୍ୱନ୍ଦ ଦୂର କରିବାକୁ ପ୍ରତିନିଧି ଦଳ ଦାବି କରିଛି ।