୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଞ୍ଚାୟତ ସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ବାର୍ଷିକ ପୋଷାକ ଭତ୍ତା ବାବଦରେ ୧୦୦୦ ଟଙ୍କା ସହ ପରିଚୟ ପତ୍ର ଯୋଗାଇ ଦିଆଯିବ । ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ଏକକାଳୀନ ୫ ହଜାର ଟଙ୍କା ମିଳିବ । ସବୁ ସିଆରପି-ସିଏମ ପାରିଶ୍ରମିକ ଭାବରେ ମାସିକ ୩ ହଜାର ଟଙ୍କା ପାଇବେ । ଏମାନଙ୍କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୩୫୦ ଟଙ୍କା ଓ ଟେଲିଫୋନ ଭତ୍ତା ବାବଦରେ ୨୫୦ ଟଙ୍କା ମିଳିବ ।

ଶନିବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡ଼ିଶାର ୭୦ ଲକ୍ଷ ମା’ଙ୍କ ଜୀବନରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା’ମାନଙ୍କୁ ରେକର୍ଡ ୬ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ତା’ ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମା’ମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକ୍ରମେ ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ, ଆହର କେନ୍ଦ୍ର ପରିଚାଳନା, ମାଛ ଚାଷ ଆଦି ବିଭିନ୍ନ ସରକାରୀ କାମ ମଧ୍ୟ ମିଶନ ଶକ୍ତି ମା’ଙ୍କୁ ଯୋଗାଇ ଦିଆଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ଶକ୍ତି ତଥା ଗତି ଯୋଗାଇ ଦେବା ସହିତ ସୁସମନ୍ୱୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ନାମରେ ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ଗୋଟିଏ ପ୍ଲାଟଫର୍ମରେ କାମ କରୁଛନ୍ତି ।

ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୁଡ଼ିକ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ତୃଣମୂଳ ଅନୁଷ୍ଠାନ । ଏହି ମହାସଂଘ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସେମାନଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହିତ ଆର୍ôଥକ ଅନ୍ତର୍ଭୁକ୍ତୀକରଣ, ଜୀବିକା ଓ ଦକ୍ଷତାର ବିକାଶ ତଥା ସେମାନଙ୍କର ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ସହାୟକ ଭୂମିକା ଗ୍ରହଣ କରିଆସୁଛି । ଏହି ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ଗୁଡ଼ିକୁ ମାଷ୍ଟର ବୁକ୍ କିପର, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଆଦି ଗୋଷ୍ଠୀ ସହାୟକ କର୍ମଚାରୀମାନେ ସହାୟତା ଯୋଗାଇ ଦେଉଛନ୍ତି । ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ସୁଦୃଢ଼ କରିବାରେ ଏହି ସହାୟକ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରୁପାନ୍ତରିତ ଓଡ଼ିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ôଥକ ପ୍ୟାକେଜ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି ।