ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ମାର୍ଚ୍ଚ ୬ରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଟପ୍ ଅର୍ଡର୍ ବ୍ୟାଟର୍ ଜେମିମା ରଡ୍ରିଗ୍ସ ଓ ଅଲ୍‌ରାଉଣ୍ଡର୍ ଶିଖା ପାଣ୍ଡେଙ୍କୁ ଖରାପ ପଦର୍ଶନ କାରଣରୁ ଦଳରେ ସ୍ଥାନ ମିଳିନାହିଁ। ସେହିପରି ହରଲିନ୍ ଦେଓଲ୍‌, ରାଧା ଯାଦବ, ବେଦା କ୍ରିଷ୍ଣମୂର୍ତ୍ତିଙ୍କ ପରି ବଡ଼ ଖେଳାଳି ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ମାର୍ଚ୍ଚରେ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଥିବା ଏକତା ବିଷ୍ଟ୍‌ଙ୍କୁ ଷ୍ଟାଣ୍ଡବାଇ ଖେଳାଳି ସୂଚୀରେ ରଖାଯାଇଛି।

ସେହିପରି ସାଭିନେନି ମେଘନା ଓ ସିମ୍‌ରନ୍ ଦିଲ୍ ବାହାଦୁରଙ୍କୁ ମଧ୍ୟ ଷ୍ଟାଣ୍ଡ୍‌ବାଇ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଦଳର ନେତୃତ୍ୱ ଭେଟେରାନ୍ ମିତାଲି ରାଜ୍‌ଙ୍କୁ ପ୍ରଦାନ କରାଯାଇଥିବା ବେଳେ ହରମନ୍‌ପ୍ରୀତ୍ କୌର୍‌ଙ୍କୁ ଉପଅଧିନାୟିକା ନିଯୁକ୍ତ କରାଯାଇଛି। ୩୨ ବର୍ଷୀୟା ପାଣ୍ଡେଙ୍କୁ ଦଳରୁ ବାଦ୍ ଦିଆଯାଇଥିବା ବେଳେ ଯୁବ ଫାଷ୍ଟ ବୋଲର୍ ମେଘନା ସିଂହ ଓ ରେଣୁକା ସିଂହଙ୍କୁ ସାମିଲ କରାଯାଇଛି। ଉଭୟ ଗତବର୍ଷ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ରେଣୁକା କେବଳ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୫୦ ଓଭର୍ ଫର୍ମାଟ୍‌ରେ ଏବେ ବି ଅପ୍‌କ୍ୟାପ୍‌ଡ ଅଛନ୍ତି।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳିବ । ଏଥିପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଫେବୃଆରୀ ୧୧ରୁ ୨୪ ମଧ୍ୟରେ ଖେଳାଯିବ। ଏହାପରେ ବିଶ୍ୱକପ୍‌ରେ ଭାରତ ମାର୍ଚ୍ଚ ୬ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ବିଶ୍ୱକପ୍ ସ୍କ୍ୱାଡ୍‌: ମିତାଲି ରାଜ (ଅଧିନାୟିକା), ହରମନପ୍ରୀତ୍ କୌର୍ (ଉପଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌କିପର୍‌), ସ୍ନେହ ରାଣା, ଝୁଲନ୍ ଗୋସ୍ୱାମୀ, ପୂଜା ବସ୍ତ୍ରାକାର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିଆ ଭାଟିଆ (ୱିକେଟ୍‌କିପର୍‌), ରାଜେଶ୍ୱରୀ ଗାଏକ୍‌ୱାଡ୍‌, ପୁନମ ଯାଦବ।

ଟି-୨୦ ସ୍କ୍ୱାଡ୍‌: ହରମନ୍‌ପ୍ରୀତ୍ କୋର୍ (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳୀ ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌କିପର୍‌), ସ୍ନେହ ରାଣା, ପୂଜା ବସ୍ତ୍ରାକାର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ (ୱିକେଟ୍‌କିପର୍‌), ରାଜେଶ୍ୱରୀ ଗାଏକ୍‌ୱାଡ୍‌, ପୂନମ ଯାଦବ।
ଷ୍ଟାଣ୍ଡ୍‌ବାଇ ଖେଳାଳି: ଏକତା ବିଷ୍ଟ, ଏସ୍ ମେଘନା, ସିମ୍‌ରନ୍ ଦିଲ୍ ବାହାଦୁର।