ଡେଲାଙ୍ଗ,ଏନ୍ଏନ୍ଏସ୍: ଡେଲାଙ୍ଗ ପୋଲିସ ମନ୍ଦିର ଚୋରୀ ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ପିତ୍ତଳ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗଡମୋଟରୀ ଗ୍ରାମର ଅଜୟ ପଣ୍ଡା (୪୨) ଓ ପଟଣ ପୁର ଗ୍ରାମର ଦୋକାନୀ ଅମୀୟ କୁମାର ସାହୁ (୩୮)। ଘଟଣା ଅନୁଯାୟୀ ଡେଲାଙ୍ଗ ହାଟ ଫଣ୍ଡି ଅଞ୍ଚଳ କୁମୁଣ୍ଡାଳ ଗ୍ରାମର ଆରଧ୍ୟ ଦେବାତା ନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିରୁ ୧ ତାରିଖ ବିଳମ୍ବୀତ ରାତିରେ ଚୋର ହୋଇଥିଲା।ଏନେଇ ମନ୍ଦିର ପୂଜକ ହୁଲାସ ରଣା ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଥିଲେ।
ରବିବାର ସକାଳୁ ପୂଜକ ହୁଲାସ ରଣା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ସମୟରେ ମନ୍ଦିର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ ଓ ଠାକୁରଙ୍କ ପିତ୍ତଳ ଘଣ୍ଟି ୧୨ଟି, ୧ ଘଣ୍ଟା , ୨ଟି ପିତ୍ତଳ ଗରା, ୨ଟି ଢାଳ, ୩ଟି ପିତ୍ତଳ ଥାଳି, ୨ଟି ତସଲା, ୧ଟି ବାଲଟି, ୫ଟି ଭୋଗଥାଳିଆ, ୧ଟି ଘିଅ ଦୀପ, ୧ଟି ଛୋଟ ପିତ୍ତଳ ଢାଳ , ୧ଟି ପାଣି ବଡୁ, ୧ଟି ଖୈତାନ ଫ୍ୟାନ, ୧ଟି ପ୍ଲାଷ୍ଟିକ ଚ୍ୟାର , ୧ଟା ନାଗ ଓ ହୁଣ୍ଡିରେ ଥିବା ଟଙ୍କା ଚୋରି ହୋଇଥିବା ହୋଇଥିବା ଜାଣିବାକୁ ପାଇଥିଲେ।ଖବର ପାଇ ଡେଲାଙ୍ଗ ଆଇଆଇସିଙ୍କ ନେତୃତ୍ୱରେ ଫାଣ୍ଡି ଅଧିକାରୀ ଧନପତି ପିଙ୍କ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସନ୍ଦେହରେ ଅଭିଯୁକ୍ତ ଅଜୟକୁ ଅଟକ ରଖି ପଚରା ଉଚରା କରିବା ପରେ ଅଭିଯୁକ୍ତ ଜଣକ ସମସ୍ତ ଚୋରୀ ସାମଗ୍ରୀ ଡେଲାଙ୍ଗ ହାଟ ବଜାର ସ୍ଥିତ ଏକ କଂସାରୀ ଦୋକାନରେ ଦେଇଥିବା ସ୍ୱୀକାର କରିଥିଲା।
ଏତଦ ସହିତ ଗତ କିଛିଦିନ ତଳେ ସେବକ ସାହୁ ପାଟଣା ଗ୍ରାମର ଆରଧ୍ୟ ଠାକୁର ଗୋପିନାଥ ଦେବଙ୍କ ମନ୍ଦିରରୁ ଚୋରୀ କରିଥିବା ଅଭିଯୁକ୍ତ ଅଜୟ ସ୍ୱୀକାର କରିଥିଲା। ପୋଲିସ ହାଟ ବରାର ସ୍ଥିତ ଅମୀୟଙ୍କ କଂସା ବାସନ ଦୋକାନ ସିଜ କରିବା ସହିତ ଚୋରୀ ହୋଇଥିବା ପିତ୍ତଳ ଘଣ୍ଟି, ଘଣ୍ଟା, ପିତ୍ତଳ ଗରା, ପିତ୍ତଳ ଢାଳ, ପିତ୍ତଳ ଥାଳି, ତସଲା, ପିତ୍ତଳ ବାଲଟି, ଭୋଗ ଥାଳିଆ, ଘିଅ ଦୀପ, ପାଣି ବଡୁ, ଧଳା ରଙ୍ଗର ଖୈତାନ ଫ୍ୟାନ, ପିତ୍ତଳ ନାଗ, ରୂପା ପାଉଁଜି ପ୍ରଭୃତି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି। ଏନେଇ ପୋଲିସ ୦୪/୨୨ ମାମଲା ରୁଜୁକରି ଅଭିଯୁକ୍ତ ଅଜୟ ଓ ଚୋରୀ ସାମଗ୍ରୀ ରଖିଥିବା ଦୋକାନୀ ଅମୀୟଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଆଇଆଇସି ଶ୍ରୀ ମହାନ୍ତି କହିଛନ୍ତି।