ଛାତ୍ରୀ ମୃତ୍ୟୁକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା

ମୟୁରଭଞ୍ଜ,ଏନ୍ଏନ୍ଏସ୍: ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଶିକ୍ଷକ, ୱାର୍ଡେନ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରି ସେବାଶ୍ରମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ସେବାଶ୍ରମରେ ରହି ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ତେବେ ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଛାତ୍ରୀ ଜଣଙ୍କ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ମଧ୍ୟ ପରିବାର ଲୋକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଜଣାଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଶିକ୍ଷକଙ୍କ ଅବହେଳା କାରଣରୁ ଛାତ୍ର ଜଣକ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଶୁକ୍ରବାର ସକାଳେ ପରିବାର ଲୋକେ ଓ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଦେହ ଧରି ସ୍କୁଲ ପରିସରରେ ଧାରଣା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ଆକ୍ରମଣରେ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ, ୱାର୍ଡ଼େନ ଓ ସ୍କୁଲ ପରିଚାଳନା କମିଟି ସଭାପତି ଗୁରୁତର ଆହତ ହୋଇଛନ୍ତି।