କରୋନା ଲାଗି ଦିଲ୍ଲୀରେ ୯ମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ବାତିଲ: ସିସୋଦିଆ

ନୂଆଦିଲ୍ଲୀ,ଏଜେନ୍ସି: ସମଗ୍ର ଦେଶ ସମେତ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସ୍କୁଲରେ ୯ମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଦେଇଛନ୍ତି। ଏ ସମ୍ପର୍କରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ତରଫରୁ ୧୦ମ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ମୂଲ୍ୟାଙ୍କନ ଲାଗି କରାଯାଉଥିବା ମାପଦଣ୍ଡକୁ ଏହି ଉଭୟ (୯ମ ଓ ଏକାଦଶ) ଶ୍ରେଣୀରେ ଗ୍ରହଣ କରାଯିବ।

ଏଥିସହ ସିସୋଦିଆ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କରେ କହିଛନ୍ତି ଯେ ମୋର ଆଶା, ପରୀକ୍ଷା ବାତିଲ ହୋଇପାରେ। କିନ୍ତୁ ସିବିଏସଇ କହିଛି ଯେ, ଜୁନ ୧ରେ ସ୍ଥିତି ସମୀକ୍ଷା କରାଯିବ। ତେଣୁ ଛାତ୍ରଛାତ୍ରୀମାନେ ଧୈର୍ଯ୍ୟ ରଖନ୍ତୁ ବୋଲି ସେ ଅପିଲ କରିଛନ୍ତି।

ଦେଶରେ କରୋନା ସଂକ୍ରମଣ ବଢ଼ିଥିବାରୁ ସିବିଏସଇ ବୁଧବାର ୧୦ମ ପରୀକ୍ଷା ବାତିଲ କରିଦେଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିଛି। ଦିଲ୍ଲୀରେ କରୋନାର ୪ର୍ଥ ଲହର ଚାଲିଛି ଏବଂ ଏହା ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି।