ବିଶ୍ୱବ୍ୟାପୀ ୯ ଲକ୍ଷ ୫୦ ହଜାର ଆକ୍ରାନ୍ତ

ୱାଶିଂଟନ୍/ରୋମ,ଏଜେନ୍ସି : ବିଶ୍ୱର ୨୦୩ଟି ଦେଶରେ ୯ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କ କରୋନା ସଂକ୍ରମଣ କରିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ସୁସ୍ଥ ହୋଇଥିଲା ବେଳେ ୪୮ ହଜାର ୨୭୬ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୧୦ ହଜାରକୁ ଅତିକ୍ରମ କରିଛି। ସେଠାରେ କରୋନା ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି। ସ୍ପେନରେ ଗୋଟିଏ ଦିନରେ ୯୫୦ରୁ ଅଧିକ କରୋନା ରୋଗୀ ମରିଛନ୍ତି। ଆମେରିକା ଓ ଇଟାଲୀ ପରେ ସର୍ବାଧିକ ସଂକ୍ରମିତ ତାଲିକାର ତୃତୀୟରେ ସ୍ପେନ୍ ସ୍ଥାନ ପାଇଛି। ଇଟାଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୧୦ ହଜାରକୁ ଅତିକ୍ରମ କରିଥିଲା ବେଳେ ୧୩ ହଜାରରୁ ଅଧିକ ମରିଛନ୍ତି। ଫିଲିପାଇନ୍ସରେ ୨୩୧୧ ଲୋକ ସଂକ୍ରମିତ ହୋଇଥିଲା ବେଳେ ୯୬ ଜଣ ମୃତ୍ୟୁବରଣ କରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଗେବ୍ରେୟେସୁସ୍ କହିଛନ୍ତି, କିଛି ମାସ ପୂର୍ବେ ବିଶ୍ୱର ଅଧିକାଂଶ ଲୋକ କରୋନା ସମ୍ପର୍କରେ କିଛି ଜାଣି ନଥିଲେ। ବର୍ତ୍ତମାନ କ୍ୱଚିତ୍ ଦେଶକୁ ବାଦ୍ ଦେଲେ, ପ୍ରାୟ ସବୁ ଦେଶକୁ କରୋନା ଆକ୍ରାନ୍ତ କରିଛି। ଯେକୌଣସି ମୁହୂର୍ତ୍ତରେ ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷକୁ ଅତିକ୍ରମ କରିବାର ସମ୍ଭାବନା ଅଛି। ୟୁହାନରୁ ସଂକ୍ରମିତ କରୋନା ମାତ୍ର ଚାରିମାସ ଭିତରେ ସାରା ବିଶ୍ୱକୁ ବ୍ୟାପିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ରୋଗୀସଂଖ୍ୟାରେ ଦୁଇଗୁଣ ବୃଦ୍ଧି ପାଇଛି। କରୋନା କବଳିତ ଶ୍ରେଷ୍ଠ ୧୦ ଦେଶ ଭିତରେ ଆମେରିକା, ଇଟାଲୀ, ସ୍ପେନ୍, ଚୀନ୍, ଜର୍ମାନୀ, ଫ୍ରାନ୍ସ, ଇରାନ୍, ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ ଓ ବେଲଜିୟମ୍ ଅଛନ୍ତି। ଇଟାଲୀ ଓ ସ୍ପେନରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଛି ।

ଆମେରିକାରେ ସର୍ବାଧିକ ୨ ଲକ୍ଷ ୧୫ ହଜାର ସଂକ୍ରମିତ ହୋଇଥିବା ବେଳେ ଇଟାଲୀରେ ଲକ୍ଷେ ୧୦ ହଜାର ୫୭୪ ଓ ସ୍ପେନରେ ଲକ୍ଷେ ୧୦ ହଜାର ୩ ସଂକ୍ରମିତ ହୋଇଛନ୍ତି। ଚୀନରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ଆରମ୍ଭ କରିଛି। ଅବଶ୍ୟ ଚୀନ୍ ତାକୁ ବିଦେଶରୁ ପ୍ରତ୍ୟାବର୍ତ୍ତନ କରିଥିବା ମାମଲା କହି ସଫେଇ ଦେଉଛି। ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୫୮୯ ଥିଲାବେଳେ ୩,୩୧୮ ମରିଛନ୍ତି। ଜର୍ମାନୀରେ ୭୭,୯୮୧ ଆକ୍ରାନ୍ତ ହୋଇଥିଲା ବେଳେ ୯୩୧ ମଲେଣି। ଫ୍ରାନ୍ସରେ ୫୬,୯୮୯ ସଂକ୍ରମିତ ଥିଲାବେଳେ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି। ଗୁରୁବାର ଇରାନରେ କରୋନା ମୃତ୍ୟୁସଂଖ୍ୟା ୩ ହଜାର ଅତିକ୍ରମ କରିଛି। ଇରାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୫୯୩କୁ ବୃଦ୍ଧି ପାଇଛି। ବ୍ରିଟେନରେ କରୋନା ରୋଗୀଙ୍କ ସଂଖ୍ୟା ୨୯,୪୭୪କୁ ବୃଦ୍ଧି ପାଇଥିଲା ବେଳେ ମରିଛନ୍ତି ୨୩୫୨। ସ୍ୱିଜରଲ୍ୟାଣ୍ଡରେ ୧୭,୭୬୮ କରୋନା ମାମଲା ସାମ୍ନାକୁ ଆସିଥିଲା ବେଳେ ମରିଛନ୍ତି ୪୮୮। ବେଲଜିୟମରେ ୧୩,୯୬୪ ସଂକ୍ରମିତ ଥିଲାବେଳେ ୮୨୮ ମୃତ୍ୟୁବରଣ କରିଛନ୍ତି।