ପୁଣି ଉଦ୍ଧାର ହେଲେ ୯୭ ଦାଦନ ଶ୍ରମିକ

ନୂଆପଡ଼ା,ଏନ୍ଏନ୍ଏସ୍  : ପୁଣି ଉଦ୍ଧାର ହେଲେ ୯୭ ଦାଦନ ଶ୍ରମିକ। ହାଇଦ୍ରାବାଦ୍‌ ଯିବା ପୂର୍ବରୁ ପୁଲିସ ଚଢ଼ାଉ କରି ଶନିବାର ୯୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକଙ୍କ ମଧ୍ୟରେ ୪୬ ଜଣ ପୁରୁଷ, ୨୫ ଜଣ ମହିଳା ଓ ୨୨ ଜଣ ଶିଶୁ ଥିଲେ। ଏମାନେ ଦଲାଲଙ୍କ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ମୁରିବାହାଲ, ଟିଟିଲାଗଡ଼ ଓ ନୂଆପଡ଼ା ଜିଲ୍ଲାର ଖରିଆର, କୋମନା, ବୋଡେନ ଅଞ୍ଚଳରୁ ଅଣାଯାଇଥିଲା।

ସୂଚନା ଅନୁଯାୟୀ, ଦାଦନ ଶ୍ରମିକମାନଙ୍କୁ ଆକର୍ଷଣୀୟ ମଜୁରୀ ଦିଆଯିବା ପାଇଁ କୁହାଯାଇଥିଲା। ଏମାନେ ଶନିବାର ଖଡ଼ିଆଲ ରେଳ ଷ୍ଟେସନରୁ ହାଇଦ୍ରାବାଦ୍‌ ଅଭିମୁଖେ ଯାଇଥା’ନ୍ତେ । ମାତ୍ର ଏହା ପୂର୍ବରୁ ପୁଲିସକୁ ସୂଚନା ମିଳି ଯାଇଥିଲା। ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ଦଲାଲ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦାଦନ ଶ୍ରମିକମାନେ ନିଜ ନିଜ ଘରକୁ ଫେରି ଯାଇଥିବା ବେଳେ ସେମାନେ ଦାଦନ ଦଲାଙ୍କ ବାବାଦରେ ପୁଲିସକୁ କିଛି କହି ନାହାନ୍ତି ବୋଲି ସୂଚନା ମିଳିଛି।