ପୁଣି ବଢ଼ୁଛି ସଂକ୍ରମଣ: ଆଉ ୯୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ କିଛିମାସ ହେବ ସଂକ୍ରମଣ କମିଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି। ଆଜି ୯୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୬ଜଣ ଓ ସ୍ଥାନୀୟ ସଂକ୍ରମଣ ୩୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ ହଜାର ୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୧୭, ବରଗଡ଼ରୁ ୧୦, ବାଲେଶ୍ୱର, ସୁନ୍ଦରଗଡ଼ ଓ ଖୋର୍ଦ୍ଧରୁ ୮ ଲେଖାଏଁ, ମୟୁରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୫, ଅନୁଗୁଳ, କଟକ ଓ ଯାଜପୁରରୁ ୪ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୂଆପଡ଼ାରୁ ୩ ଲେଖାଏଁ, ପୁରୀରୁ ୨, ବଲାଙ୍ଗିର, ବୌଦ୍ଧ, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ା, କେଉଁଝର, ସୋନପୁର ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୨ଲକ୍ଷ ୭୭ହଜାର ୭୧୩ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ ହଜାର ୧୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୪ହଜାର ୪୦୦ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୬୫୦ ଜଣ ଚିକିତ୍ସିତ ହେଉଛନ୍ତି।