ଦେଶରେ ଦିନକରେ ସର୍ବାଧିକ ୯ ହଜାର ୯୮୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦୬ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ପାର ହୋଇଛି। ସେହିପରି ଦେଶରେ ଧର୍ମୀୟସ୍ଥଳୀ ସର୍ତ୍ତମୂଳକ ଖୋଲିବା ଆଗରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଟପିବା ଉଦବେଗର ବିଷୟ। ରବିବାର ୧୦ ହଜାର ୭୦୦ ନୂଆ ମାମଲା ଚିହ୍ନଟ ହେବା ପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୩୩୪ରେ ପହଞ୍ଚିଛି। ଶନିବାର ମଧ୍ୟ ୧୦ ହଜାର ୭୮୫ ନୂଆ ମାମଲା ଚିହ୍ନଟ ହୋଇଥିଲା।

ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ରୁ ଅଢ଼େଇ ଲକ୍ଷରେ ପହଞ୍ଚିବାକୁ ମାତ୍ର ୫ ଦିନ ଲାଗିଛି। ସେହିପରି କରୋନା ପଜିଟିଭି ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ଦିନକୁ ୧ରୁ ୧୦ ହଜାରରେ ପହଞ୍ଚିବାକୁ ଲାଗିଛି ୭୪ ଦିନ। ଭାରତରେ ପ୍ରଥମେ କରୋନା ରୋଗୀ ଜାନୁୟାରୀ ୩୦ରେ ଚିହ୍ନଟ ହୋଇଥିବା ବେଳେ ଅପ୍ରେଲ ୧୩ ତାରିଖରେ ଏହି ସଂଖ୍ୟା ୧୦ ହଜାର ଛୁଇଁଥିଲା।

ଅନ୍ୟପଟେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୨୦୧ରେ ପହଞ୍ଚିଛି। ଗତ ୫ ଦିନ ହେଲା ମୃତ୍ୟୁ ସଂଖ୍ୟା ଅଢେଇ ଶହ ଉପରେ ରହୁଛି। ରବିବାର ୨୬୨, ଶନିବାର ୨୯୭ ଓ ଶୁକ୍ରବାର ୨୯୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ରବିବାର ଦ୍ୱିତୀୟ ଥର ପାଇଁ ନୂଆ ମାମଲା ୩ ହଜାର ଟପିଛି। ରବିବାର ମହାରାଷ୍ଟ୍ରରେ ୩ ହଜାର ୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ମୁମ୍ବାଇରେ ୧୪୨୦ ଜଣଙ୍କ ରକ୍ତ ନମୁନାରୁ ମାରାତ୍ମକ ଭୂତାଣୁ ଠାବ ହୋଇଛି। ମହାରାଷ୍ଟ୍ରରେ ରବିବାର ୯୧ ଜଣଙ୍କ ମୃତକଙ୍କ ମଧ୍ୟରୁ ୬୧ ଜଣ ହେଉଛନ୍ତି ମୁମ୍ବାଇ ବାସିନ୍ଦା।