ଭାରତ-ଚୀନ ମଧ୍ୟରେ ୯ମ ପର୍ଯ୍ୟାୟ ସୈନ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଜାରି ଥିବା ଉତ୍ତେଜନାକୁ ନେଇ ୯ମ ପର୍ଯ୍ୟାୟର କୋର କମାଣ୍ଡର ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ସକାଳ ୯ଟାରୁ ଚୁଶୁଲର ମୋଲଡୋରେ ଆରମ୍ଭ ହେବ। ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଜାରି ଥିବା ସଂଘର୍ଷକୁ ପୂର୍ଣ୍ଣଚ୍ଛେଦ ପକାଇ ସମାଧାନ ପାଇଁ ରାସ୍ତା ବାହାର କରାଯିବ।

ବିଗତ ୮ ମାସ ଧରି ଲଦାଖରେ ଉଭୟ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଛି। କୁଟନୈତିକ ଓ ସୈନ୍ୟ ସ୍ତରରେ ଆଲୋଚନା ହୋଇଥିଲେ ବି ଏଯାଏଁ କୌଣସି ସମାଧାନର ରାସ୍ତା ବାହାରିପାରି ନାହିଁ। ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଶୁକ୍ରବାର କହିଥିଲେ ଯେ, ଖୁବଶୀଘ୍ର ବରିଷ୍ଠ କମାଣ୍ଡର ସ୍ତରର ବୈଠକରେ ଆଗାମୀ ପର୍ଯ୍ୟାୟର ଆଲୋଚନା ହେବ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ନଭେମ୍ବର ୬ ତାରିଖରେ ୮ମ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଏଥିରେ ଉଭୟ ପକ୍ଷର ସୈନ୍ୟ ଓ କୁଟନୈତିକ ସଂପର୍କ ରଖି ଅନ୍ୟ ସମସ୍ୟାର ସମାଧାନ କରିବା ଓ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଜାରି ରଖିବା ଲାଗି ଚୁକ୍ତି ହୋଇଥିଲେ ମଧ୍ୟ ଚୀନ ଏହି ଚୁକ୍ତିରୁ ଓହରି ଯାଇଥିଲା।