ପୋଲିସ-ଜୁଆଡ଼ି ମୁହାଁମୁହିଁ, ୯ ଗିରଫ : ୨ ପୋଲିସ କର୍ମଚାରୀ ଆହତ

ଗଞ୍ଜାମ,ଏନ୍ଏନ୍ଏସ୍: ଦୀର୍ଘ ଦିନ ହେଲା ସଦର ଥାନା ଲୋଚାପଡ଼ା ଗ୍ରାମ ଅନ୍ତର୍ଗତ ଖଞ୍ଜ ପଡିଆ ସାହିରେ ଜୁଆ ଆଡ୍ଡା ଚାଲିଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର ସଦର ପୋଲିସ ସଦଳବଳେ ସେଠାରେ ଚଢ଼ଉ କରିଥିଲା । ପୋଲିସର ଏହି ଅତର୍କିତ ଚଢ଼ଉ ବେଳେ ଜୁଆଡ଼ି ମାନେ ସଂଘବଦ୍ଧ ଭାବେ ପୋଲିସ ପାର୍ଟି ଉପରେ ଆକ୍ରମଣ କରିବା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ । ଜୁଆଡ଼ିଙ୍କ ଏହି ଆକ୍ରମଣରେ ପୋଲିସ ଏଏସଆଇ ବିଭୂତି ସେଠୀ ଓ ଗୃହରକ୍ଷୀ ଆଶିଷ କାର୍ଜୀ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କ ଚିକିତ୍ସା ବ୍ରହ୍ମପୁର ବଡ ମେଡିକାଲରେ କରାଯାଇଛି ।

ପୋଲିସ ଘଟଣାସ୍ଥଳରୁ ମହେନ୍ଦ୍ର ସାହୁ, ଗଣେଷ ସାହୁ, ମହେଶ ସାହୁ, ମନୋଜ କୁମାର ସାହୁ, ବିଶ୍ୱନାଥ ସାହୁ, ଶ୍ରୀହରି ପାତ୍ର, ହୀନ ସାହୁ, ମୁରଲିଧର ସାହୁ ଓ ବୃନ୍ଦାବନ ବେହେରାଙ୍କୁ ଗିରଫ କରିଛି । ଏହି ୯ ଜଣ ଜୁଆଡ଼ିଙ୍କ ନିକଟରୁ ମୋଟ୍ ୮ ହଜାର ୭୭୦ ଟଙ୍କା ନଗଦ, ୫ଟି ଠେଙ୍ଗା, ୭ଟି ମୋବାଇଲ ଏବଂ ଅନ୍ୟାନ୍ୟ ଜୁଆଖେଳ ସାମଗ୍ରୀ ଜବତ ହୋଇଛି । ସଦର ଥାନା ପୋଲିସ ଏ ସଂକ୍ରାନ୍ତରେ ୨୬୧/୧୯ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲଣ କରିଥିବା ନେଇ ଥାନା ଆଇଆଇସି ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।