ମନ୍ଦିର ପରିସରରୁ ୯ ଫୁଟର ଅହିରାଜ ସାପ ଉଦ୍ଧାର

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ ମନ୍ଦିର ହୁଣ୍ଡି ତଳେ ବିରାଟ କାୟ ସାପଟିକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ସ୍ନେକ ହେଲ୍ପ ଲାଇନ ଓ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ପରିସରରୁ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ। ଶେଷରେ ବନପାଳଙ୍କ ନିର୍ଦ୍ଦେଶକ୍ରମେ ଅହିରାଜ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଛି।