ଶ୍ରୀଶୈଳମ୍ ପାୱାର ପ୍ଲାଣ୍ଟରେ ଅଘଟଣ, ୯ ମୃତ

ହାଇଦ୍ରାବାଦ, ଏଜେନ୍ସି: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ସୀମା ଶ୍ରୀଶୈଳମ୍ ଅଣ୍ଡରଗ୍ରାଉଣ୍ଡ୍ ଜଳଜ ବିଦ୍ୟୁତକେନ୍ଦ୍ରରେ ନିଆଁ ଲାଗି ୯ଜଣଙ୍କର ମୃତ୍ୟୁ ହୋଇଥିବା ନଗରକୁରନୂଳ ଜିଲ୍ଲାପାଳ ଏଲ୍ ସରମନ ସୂଚନା ଦେଇଛନ୍ତି। ଦୁର୍ଘଟଣାବେଳେ ସେଠାରେ ଅତିକମରେ ୨୫ଜଣ ଥିଲେ। ତେବେ ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଉଦ୍ଧାର କରାଯାଇଥିବା ତେଲେଙ୍ଗାନା ଷ୍ଟେଟ ପାୱାର ଜେନେରେସନ୍ କର୍ପୋରେସନ୍ ମୁଖ୍ୟ ବି. ସୁରେଶ ସୂଚନା ଦେଇଛନ୍ତି। ଶ୍ରୀଶୈଳମ ଅଣ୍ଡରଗ୍ରାଉଣ୍ଡ ଜଳଜ ବିଦ୍ୟୁତକେନ୍ଦ୍ରର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିଆଇଏସଏଫର ଯବାନଙ୍କ ସହ ୫ଟି ଦମକଳବାହିନୀ ଗାଡ଼ି ନିଆଁକୁ ଆୟତ୍ତ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଅନ୍ୟପଟେ ବିଦ୍ୟୁକେନ୍ଦ୍ରରେ ଫସିରହିଥିବା ଲୋକମାନଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିବାରୁ ଏବଂ ସେଠାରେ ନେଟୱର୍କ ମଧ୍ୟ ଆସୁନଥିବାରୁ ଫସିରହିଥିବା କର୍ମଚାରୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା। ଉଦ୍ଧାର ହୋଇଥିବା ୧୬ଜଣଙ୍କ ମଧ୍ୟରୁ ଛଅଜଣଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେବାରୁ, ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।