କନ୍ଧମାଳରେ ସୁସ୍ଥ ହେଲେ ଆଉ ୯ କରୋନା ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୨୨

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଆଉ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଏଥିସହ ବର୍ତ୍ତମାନ ଜିଲ୍ଲାର ୩ ଆକ୍ରାନ୍ତ ଭୁବନେଶ୍ୱର ସ୍ଥିତ କିମ୍ସି କୋଭିଡ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ସୁସ୍ଥ ହୋଇଥିବା ୯ ଆକ୍ରାନ୍ତ ମାତ୍ର ୭ ଦିନ ମଧ୍ୟରେ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଗତ ମେ’ ୩୧ ତାରିଖରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏଥିସହ ସୁସ୍ଥ ୯ ଜଣଙ୍କ ମଧ୍ୟରୁ ୮ ଜଣ ତାମିଲନାଡୁ ଫେରନ୍ତା। ସେମାନେ ରାଇକିଆ ବ୍ଲକ୍ ଅଞ୍ଚଳରେ ଥିବା ଏକ କ୍ୱାରେଣ୍ଟାଇନ କେନ୍ଦ୍ରରେ ସଂଗରୋଧରେ ଥିବା ବେଳେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଦିଲ୍ଲୀରୁ ଫେରି ଖଜୁରିପଡା କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବାବେଳେ ଚିହ୍ନଟ ହୋଇଥିଲେ। ସମସ୍ତ ସୁସ୍ଥମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଏ ଯାବତ ଜିଲ୍ଲାକୁ ୬ ହଜାର ୨୯୫ ଜଣ ପ୍ରବସୀ ଦେଶର ବିଭିନ୍ନ ରାଜ୍ୟ ଓ ଦେଶରୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ହଜାର ୨୧୧ ଜଣ ସଂଗରୋଧ ଅବଧି ଶେଷ କରି ନିଜ ନିଜ ଘରକୁ ଫେରିଛନ୍ତି। ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ୧,୭୭୬ଟି ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୧,୬୧୧ଟି ରିପୋର୍ଟ ଆସିଛି। ସେଥିରୁ ୨୫ ପଜିଟିଭ ଥିଲା।