ବାଇକ ଚୋରଙ୍କ ସହ ଚୋରା ବାଇକ୍ କିଣିଥିବା ୯ ଚାଳକ ଗିରଫ

ଜବତ ହେଲା ୧୦ ବାଇକ୍

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ପୁଲିସ ୧୦ଟି ଚୋରା ବାଇକ୍ ଜବତ କରିବା ସହ ୨ ଜଣ ବାଇକ ଚୋର ଓ ଚୋରି ବାଇକ କ୍ରୟ କରିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି।

ଏକ ବାଇକ୍ ଚୋରି ହୋଇଥିବା ବିଷୟରେ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ କରୁଥିବାବେଳେ ଏଥିରେ ସମ୍ପୃକ୍ତ ପେଦାୱାଡ଼ା ଗ୍ରାମର ଫୂଲଧର ଖିଲ(୩୦) ଓ ବନ୍ଧଗୁଡ଼ା ଗ୍ରାମର ଦାମୋଦର ହନ୍ତାଳ(୩୦)କୁ ଗିରଫ କରିଥିଲା।

ଉଭୟଙ୍କୁ ପଚରାଉଚୁରା ବେଳେ ଅନ୍ୟ ୯ଟି ବାଇକ୍ ଚୋରି ମାମଲାରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଚୋରି ଗାଡ଼ି କ୍ରୟ କରିଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିଥିଲେ। ପରେ ପୁଲିସ ସମସ୍ତ ୧୦ଟି ବାଇକକୁ ଜବତ କରିବା ସହ ଗିରଫ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ବାଇକ କ୍ରୟ କରିଥିବା ଅନ୍ୟ ୭ ଜଣଙ୍କୁ ଗିରଫ କରିଛି।

ପରେ ୨ ଜଣ ଅଭିଯୁକ୍ତଙ୍କ ସହ ବାଇକ କ୍ରୟ କରିଥିବା ସୁନ୍ଧିଗୁଡ଼ା ଗ୍ରାମର ଦୂର୍ଯ୍ୟୋଧନ ବିଶୋୟୀ, ଆଲାମପଡ଼ା ଗ୍ରାମର ଡମ୍ବୁରୁ ପୁଟିଆ, ପେଦାୱାଡ଼ା ଗ୍ରାମର ସାନା ଖିଲ, ଡଙ୍ଗରଗୁଡ଼ା ଗ୍ରାମର ଜଗତରାମ ଖିଲ, କାଦଗୁଡ଼ା ଗ୍ରାମର ପର୍ଶୁ ବରଜା, କୃଷ୍ଣ ବରଜା ଓ ରାମଚନ୍ଦ୍ର ବିଶୋୟୀକୁ ସୋମବାର କୋର୍ଟଚାଲାଣ କରାଯାଇଥିବା ଏକ ବୈଠକରେ ମାଲକାନଗିରି ଏସପି ରିଷିକେଶ ଖିଲାରୀ ଡ୍ୟାନଡେଓ ପ୍ରକାଶ କରିଛନ୍ତି।