ଫ୍ରାନ୍ସରେ ଶିକ୍ଷକଙ୍କୁ ହତ୍ୟା ଘଟଣାରେ ୯ ଗିରଫ

ପ୍ୟାରିସ୍,ଏଜେନ୍ସି: ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଉପକଣ୍ଠରେ ଏକ ସ୍କୁଲର ଶିକ୍ଷକଙ୍କ ମୁଣ୍ଡ କାଟ କରିବା ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏହି ଘଟଣାକୁ ଇସଲାମିୟ ଆତଙ୍କୀ ଆକ୍ରମଣ ଭାବେ ଅଭିହିତ କରିଛନ୍ତି। ବିଚାର ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ପ୍ୟାରିସ୍ର ଉତ୍ତରପଶ୍ଚିମରେ ଅବସ୍ଥିତ କନଫ୍ଲାନ୍ସ-ସେଣ୍ଟ-ଅନରାଇନରେ ଥିବା ଏକ ସ୍କୁଲରେ ୪୭ ବର୍ଷୀୟ ଇତିହାସ ଶିକ୍ଷକ ଶାମୁଏଲ ପଟି ଛାତ୍ରମାନଙ୍କୁ ପ୍ରଫେଟ୍ ମହମ୍ମଦଙ୍କ କେତେକ କାର୍ଟୁନ୍ ଦେଖାଇବାରୁ ଶୁକ୍ରବାର ସ୍କୁଲ ବାହାରେ ତାଙ୍କର ମୁଣ୍ଡ କାଟି ଦିଆଯାଇଥିଲା। ଏହି ଘଟଣାରେ ଚେଚେନ୍ୟାର ଜଣେ ୧୮ ବର୍ଷୀୟ ଯୁବକକୁ ପୁଲିସ ଧରିବାକୁ ଯାଇ ଗୁଳି ଚଳାଇବାରୁ ତାର ମୃତ୍ୟୁ ଘଟିଛି। ଇତିମଧ୍ୟରେ ପୁଲିସ ସନ୍ଦିଗ୍ଧ ଯୁବକର ଭାଇ ଓ ଜେଜେବାପାଙ୍କୁ ଅଟକ ରଖି ଜେରା କରୁଛି। ଉଲ୍ଲେଖଯୋଗ୍ୟ ୨୦୧୫ ଜାନୁଆରୀରୁ ଫ୍ରାନ୍ସରେ ଇସଲାମୀୟ ଆତଙ୍କୀ ଆକ୍ରମଣ ଦେଖାଦେଇଛି।