୮ କିଲୋମିଟର ଖଟିଆରେ ବୁହାହେଲା ଶବ

ଭବାନୀପାଟଣା,୨୭ା୮/ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ ଦେଢ଼ଶୁଲି ପଞ୍ଚାୟତର ନାଗବିଲା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୮ କିମି ଖଟିଆରେ ବୁହାହୋଇ ନିଆଯାଇଛି ଶବକୁ । ବର୍ତ୍ତମାନ ପର୍ଯ୍ୟନ୍ତ ଗାଁକୁ ଯିବାପାଇଁ ରାସ୍ତା ନଥିବାବେଳେ ଏଠାକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସିପାରିୁନାହିଁ । ଯାହାର ଉଦାହରଣ ହେଉଛି ଜମୁନ୍ତୀ ମାଝୀଙ୍କର ଶବ ବୁହା ଦୃଶ୍ୟ ।
ଗତକାଲି ସେ ଚାଷ ଜମିକୁ ଧାନ ରୋଇବାକୁ ଯାଇଥିବାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ । ସେଠାରୁ ତାଙ୍କୁ ୮କିଲୋମିଟର ଦୂର ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠୁ ୨ ଜଣ ଲୋକ ଭାରରେ ମୃତଦେହକୁ ୮କିଲୋମିଟର ବାଗବିଲା ଗ୍ରାମକୁ ଆଣି ସେଠାରେ ତାଙ୍କର ଶବ ଦାହ କରିଥିଲେ । ଏହା ଏହି ଅଞ୍ଚଳ ପାଇଁ ନୂଆ ନୁହଁ । ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ନେତାଙ୍କଠୁ ଅଫିସର ସମସ୍ତଙ୍କୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ସେଠାକାର ଲୋକ ବାଧ୍ୟ ହୋଇ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ।