ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ୮ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏ ନେଇ ରାଜ୍ୟର ୮ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ପୂର୍ବାହ୍ଣରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଲଗାତାର ବର୍ଷା ଯୋଗୁଁ ଚାରିଆଡ଼ ଜଳମଗ୍ନ ହୋଇ ପଡ଼ିଛି। କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରେ ଆଜି ଦିନକ ପାଇଁ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଅତି ପ୍ରବଳ ଏବଂ ନିରବଚ୍ଛିନ୍ନ ବର୍ଷା ଯୋଗୁଁ ରେଶମ ନଗରୀ ଗଞ୍ଜାମ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି। ଏହି ପରିପ୍ରେକ୍ଷୀରେ ୪ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଶିକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ସ୍କୁଲ୍‌କୁ ଆସିବାକୁ କୁହାଯାଇଛି। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ଜନଜୀବନ ଅତିଷ୍ଠ ହୋଇଉଠିଛି। ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି।

ଲଘୁଚାପ ଜନିତ ନିରବଚ୍ଛିନ୍ନ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ୍‌ ଏବଂ ଅଙ୍ଗନବାଡ଼ି ଗୁରୁବାର ଓ ଶୁକ୍ରବାର ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।