ଝାରସୁଗୁଡ଼ାରୁ ୮୯ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କରୋନା ମହାମାରୀର ଦ୍ୱିତୀୟ ଲହର ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଆଜି ୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୧୪ ତାରିଖରେ ଜିଲ୍ଲାରେ ୮୪ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ୧୩ ତାରିଖ ୫୫ ଜଣ, ୧୨ ତାରିଖ ୧୦ ଜଣ, ୧୧ ତାରିଖ ୪୩ ଜଣ, ୧୦ ତାରିଖ ୫୨ ଓ ୯ ତାରିଖ ଦିନ ୫୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରତିଦିନ ବାହାର ଜିଲ୍ଲା ଓ ରାଜ୍ୟରୁ ଆକାଶ ପଥ, ରେଳପଥ ଓ ସଡ଼କପଥରେ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାର ପ୍ରତିକାର ସ୍ୱରୂପ ପୁଣିଥରେ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ କରିବା ପାଇଁ ସରକାର ଘୋଷଣା କରିଛନ୍ତି।

ଆଜିଠାରୁ ନାଇଟ କର୍ଫ୍ୟୁର ସମୟ ମଧ୍ୟ ବଢ଼ାଇ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ପ୍ରତି ଶନିବାର ଓ ରବିବାର ଦୁଇଦିନ ସଟ୍ଡାଉନ ରହିବ। ଝାରସୁଗୁଡ଼ା ଜିଲ୍ଲାରେ ଛତିଶଗଡ଼ ସୀମାପଟୁ କରୋନା ସଂକ୍ରମଣ ରୋକିବାପାଇଁ ସୀମାକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଥିଲେ ମଧ୍ୟ ଗଲା ବାଟଦେଇ ପ୍ରବାସୀ ଜିଲ୍ଲାକୁ ପ୍ରବେଶ କରୁଥିବାରୁ ପ୍ରଶାସନର ଚିନ୍ତାର ବିଷୟ ପାଲଟିଛି। ତେବେ ଜିଲ୍ଲା ପ୍ରଶାସନ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ କଟକଣା ଲାଗୁକରୁଛି ।