କୋରାପୁଟରୁ ୮୯ କରୋନା ପଜିଟିଭ ଚିହ୍ନଟ: ଆବଶ୍ୟକ ସ୍ଥଳେ ସଟଡାଉନ ଅବଧି ବଢ଼ିବ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫୮କୁ ବୃଦ୍ଧି ପାଇଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଟିଏମସି କେନ୍ଦ୍ରରୁ ୯ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୩୮ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୪୧ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୨୭, ଜୟପୁର ପୌରାଞ୍ଚଳରୁ ୧୯ ଓ ସୁନାବେଡ଼ା ପୌରାଞ୍ଚଳରୁ ୬ ଜଣ ରହିଛନ୍ତି।

କରୋନା ନିୟନ୍ତ୍ରଣ ନିମନ୍ତେ ସରକାର ଓ ଜିଲ୍ଲା ପ୍ରଶାସନ ଜାରି କରୁଥିବା କଟକଣା ଓ କୋଭିଡ୍-୧୯ ଆକ୍ଟ କିଛି ଲୋକ ମାନୁନଥିବାରୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି। ସେଥିପାଇଁ ଜିଲ୍ଲାରେ ଚାଲିଥିବା ସପ୍ତାହନ୍ତ ସଟଡାଉନ୍ ଆବଶ୍ୟକସ୍ଥଳେ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଅନେକ ସ୍ଥାନରେ ସଂକ୍ରମଣ ହାର କମିଥିବାବେଳେ ଆଉ କେତେକ ସ୍ଥାନରେ ଲୋକଙ୍କ ଖାମଖିଆଲୀ ମନୋଭାବ ହେତୁ ସଂକ୍ରମଣ ନିୟନ୍ତ୍ରଣ ହେଉନଥିବା ଜଣାପଡ଼ିଛି। ତେଣୁ ସେହି ସବୁ ସ୍ଥାନରେ ସଟଡାଉନ୍ ଅବଧି ବଢ଼ାଇବାକୁ ପ୍ରଶାସନ ଚିନ୍ତା କରୁଥିବା ଜିଲ୍ଲାପାଳ କହିଛନ୍ତି।