ବରଗଡ଼,ଏନ୍ଏନ୍ଏସ୍: ବୟସ ୮୮ ଛୁଇଁଲା, ହେଲେ ଏଯାଏଁ ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା। ଏପରି ଏକ ଅଭିଯୋଗ ଆସିଛି ବରଗଡ଼ ସଦର ବ୍ଲକ ବରଡ଼ୋଲ ପଞ୍ଚାୟତର ଡାଙ୍ଗ ନଦୀପଡ଼ାରୁ। ହେମ ଠାକୁର ନାମକ ଜଣେ ବୃଦ୍ଧାଙ୍କ ସ୍ୱାମୀ ୩୦ ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଥିଲେ। ଦୁଇ ପୁଅକୁ ନେଇ ହେମଙ୍କ ସଂସାର। ବଡ଼ ପୁଅ ସହ ରହୁଥିବା ହେମଙ୍କୁ ଏଯାଏଁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନାହିଁ। ସେହିପରି ଆଧାର କାର୍ଡ ନଥିବାରୁ ହେମଙ୍କୁ କିଛି ବର୍ଷ ପୂର୍ବରୁ ଅନ୍ତଦୟୋ ଯୋଜନାରୁ ମଧ୍ୟ ବାଦ ଦିଆଯାଇଛି। ଅନ୍ୟପଟେ ବୃଦ୍ଧାବସ୍ଥା ଯୋଗୁ ଆଧାର କାର୍ଡ ନିର୍ମାଣ ପାଇଁ ଫିଙ୍ଗର ପ୍ରିଣ୍ଟ ତଥା ଆଇ ସ୍କାନରରେ ତାଙ୍କ ଆଙ୍ଗୁଠି ତଥା ଆଖି ସ୍କାନ ହୋଇପାରୁ ନାହିଁ। ଫଳରେ ହେମ ଠାକୁର ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ରହିଛନ୍ତି। ତେଣୁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବୃଦ୍ଧା ହେମଙ୍କୁ ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ କରି ଅନ୍ତଦୟୋ ଯୋଜନାରେ ଚାଉଲ ଯୋଗାଇଦେବାକୁ ଦାବି ହେଉଛି।