ସାରା ବିଶ୍ବରେ କରୋନାରେ ୮୨ ହଜାର ମୃତ୍ୟୁ, ୧୪ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଚୀନରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ଗଲାଣି ୮୨ହଜାରରୁ ଅଧିକଙ୍କ ଜୀବନ। ଏହି ଭାଇରସ୍‌ ଯୋଗୁଁ ୧୪.୩୧ ଲକ୍ଷ ଆକ୍ରାନ୍ତ ହେଲେଣି। ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ୯ ଲକ୍ଷ ୯୮ ହଜାର ୭୩୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟମ ଧରଣର ଥିବା ବେଳେ ୪୭ ହଜାର ୮୯୦ ଜଣ ଗୁରୁତର ଅଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ୭୯ ପ୍ରତିଶତ କରୋନା ରୋଗୀ ଭଲ ହେଉଥିବା ବେଳେ ୨୧ ପ୍ରତିଶତଙ୍କ ଚିକିତ୍ସା ସଫଳ ହୋଇପାରି ନାହିଁ।

ସେହିପରି କରୋନା ଭାଇରସ ଆମେରିକାବାସୀଙ୍କୁ ଅଧିକ ଡରାଉଛି। ଏହି ଶକ୍ତିଶାଳୀ ଦେଶରେ ୪ ଲକ୍ଷ ୩୩୫ ଜଣ ଆକ୍ରାନ୍ତ ଥିବା ବେଳେ ୧୨ ହଜାର ୮୪୧ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନରେ ମୃତ୍ୟୁ ସଂଖ୍ୟା ହେଉଛି ୧୪ ହଜାର ୪୫ ଜଣ। କିନ୍ତୁ ଏଠାରେ ୧ ଲକ୍ଷ ୪୧ ହଜାର ୯୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇଟାଲୀରେ ସର୍ବାଧିକ ୧୭ ହଜାର ୧୨୭ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ୧ ଲକ୍ଷ ୩୫ ହଜାର।

ଫ୍ରାନ୍ସରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯ ହଜାର ୬୯ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ୩୨୮। ସେହିପରି ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୭ ହଜାର ୬୬୩ ଜଣ। ମୃତ୍ୟୁ ସଂଖ୍ୟା ୨ ହଜାର ୧୬ ଜଣ। ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଆମେରିକା, ସ୍ପେନ, ଇଟାଲୀ ଓ ଫ୍ରାନ୍ସ ତୁଳନାରେ କମ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୧୨୪ ଜଣ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।