ଜାମ୍ମୁ- କାଶ୍ମୀରର ବିକାଶ ପାଇଁ ୮୦,୦୦୦ କୋଟିର ପ୍ୟାକେଜ ଘୋଷଣା

କାଶ୍ମୀର,ଏଜେନ୍ସି: ଜମ୍ମୁ ଓ କଶ୍ମୀରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଏ ନେଇ ବୁଧବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହି ପ୍ୟାକେଜରେ ଜମ୍ମୁ ଓ କଶ୍ମୀରରେ ଶିକ୍ଷା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି  କ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିବା ସହ ହଜାର ହଜାର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ଲାଗି କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ। ଏହି ପ୍ୟାକେଜ୍‌ ଯୋଗୁଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।
ଏଠାରେ
 ସ୍ମରଣ କରାଯାଇପାରେ ଯେ ଜାନୁଆରୀ ୨୦ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଥିଲେ- ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୫୦୦୦ କୋଟି ଟଙ୍କା ମୂଲ୍ୟର ଅନ୍ୟୂନ ୨୫ଟି ପ୍ରକଳ୍ପ ଆସିବ। ଜମ୍ମୁ ଓ କଶ୍ମୀରକୁ ଦେଶର ‘ରତ୍ନ’ ବୋଲି ବର୍ଣ୍ଣନା କରି ସେ ଆହୁରି କହିଥିଲେ ଯେ ବୃହତ୍ତର ପୁଞ୍ଜି ବିନିଯୋଗ ଆଶାରେ ସରକାର  ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଗୋଟାଏ ଶିଳ୍ପ ପ୍ୟାକେଜ ଲାଗି ଯୋଜନା କରୁଛନ୍ତି। ଅନ୍ୟୂନ ୩୬ ଜଣ କେନ୍ଦ୍ର ମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସମୟରେ କେନ୍ଦ୍ର ସରକାର ଏ ଭଳି ଘୋଷଣା କରିଛନ୍ତି। ସେମାନେ ଜାନୁଆରୀ ୧୮ ରୁ ୨୪ ଯାଏଁ ଗସ୍ତରେ ରହିବେ।