ଯାଞ୍ଚ ହେବ ୮ଶହ ଡିଗ୍ରୀ କଲେଜର ଭିତ୍ତିଭୂମି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗୁଣାତ୍ମକ ଶିକ୍ଷା ସମେତ ଗବେଷଣା ଲାଗି ଯେପରି ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ପିଲାଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଦିଆଯିବ ସେ ଦିଗରେ ଗୁରୁତ୍ୱ ଦେବାକୁ ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ରାଜ୍ୟରେ ଥିବା ୮୦୦ରୁ ଊଦ୍ଧ୍ୱର୍ ଡିଗ୍ରୀ କଲେଜର ଭିତ୍ତିଭୂମି ଯାଞ୍ଚ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ଉଭୟ ସରକାରୀ, ଅନୁଦାନପ୍ରାପ୍ତ କଲେଜ ସମେତ ସ୍ୱୟଂଶାସିତ କଲେଜଗୁଡ଼ିକରେ ମଧ୍ୟ କରାଯାଇ ଆସନ୍ତା ୩ମାସ ମଧ୍ୟରେ ରିପୋର୍ଟ ଦାଖଲ କରାଯିବବୋଲି ଜଣାପଡ଼ିଛି।

ଯାଞ୍ଚ ସମୟରେ ଯେଉଁ ସବୁ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଲାଗି ନିର୍ଦ୍ଦେଶ ରହିଛି, ସେ ସବୁ ନଥିଲେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ +୩ କଳା, ବିଜ୍ଞାନ ଓ ବାଣିଜ୍ୟର ଉଭୟ ପାସ୍ ଓ ଅନର୍ସ ଛାତ୍ରଛାତ୍ରୀମାନେ ଯେପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ କଲେଜଗୁଡ଼ିକର ଭିତ୍ତିଭୂମି ଉକୃଷ୍ଟମାନର ହେବ ସେନେଇ ଏହି ଯୋଜନା ଆରମ୍ଭ କରାଯାଇଛିି। ପ୍ରଥମ ପର୍ଯ୍ୟାୟରେ ୨୯୦ଟି ଡିଗ୍ରୀ କଲେଜର ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୪ଟି ପର୍ଯ୍ୟାୟରେ ଏହି ଯାଞ୍ଚ ପ୍ରକ୍ରିୟା କରାଯିବ। ଏନେଇ ସ୍ୱତନ୍ତ୍ର ଭାବେ ୬ଟି ସ୍କ୍ୱାଡ୍ ଗଠନ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ଏକ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଚୟନ କରାଯାଇଛି। ଏହି ଯାଞ୍ଚରେ କଲେଜର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଯଦି କୌଣସି କଲେଜରେ ଶୈକ୍ଷିକ ପରିବେଶ ନଥିବ ବା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ôଚତ ହେଉଥିବେ, ତେବେ ସମ୍ପୃକ୍ତ କଲେଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁଯାୟୀ ସମସ୍ତ ଡିଗ୍ରୀ କଲେଜରେ ଚୟସ୍ ବେସ୍ଡ କ୍ରେଡିଟ୍ ସିଷ୍ଟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଫଳରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ପାଠ୍ୟକ୍ରମ ସହ ଅନ୍ୟ ବିଷୟ ପଢ଼ିବାର ସୁଯୋଗ ପାଇବେ। ପ୍ରତିଯୋଗିତାମୂଳକ ସ୍ଥିତିରେ ଓଡ଼ିଆ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ଯେପରି ଉତ୍କର୍ଷତା ପ୍ରଦର୍ଶନ କରିବେ ଏବଂ ସଫଳତା ହାସଲ କରିବେ ସେନେଇ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସେହିପରି ଗବେଷଣା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଯାଞ୍ଚରେ କଲେଜର ଭିତ୍ତିଭୂମି, କ୍ୟାମ୍ପସ, ଛାତ୍ରାବାସ, ଅଧ୍ୟାପକଙ୍କ ସଂଖ୍ୟା, ଲାବୋରେଟୋରୀ, ପାଠାଗାର, କ୍ଳାସ୍ ପିରିୟଡ, ଗେଷ୍ଟ୍ ଫାକଲ୍ଟିଙ୍କ ଅଭିଜ୍ଞତା ସମ୍ପର୍କରେ ସମୀକ୍ଷା କରାଯିବ। ଏହାବ୍ୟତୀତ ଯାଞ୍ଚ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମତାମତ ମଧ୍ୟ ସଂଗ୍ରହ କରାଯିବ। ଏହାବ୍ୟତୀତ ରାଜ୍ୟ ସରକାର ଡିଗ୍ରୀ କଲେଜ ଲାଗି ଲାଗୁ କରିଥିବା ଅଧ୍ୟାପକଙ୍କ ପାଇଁ ୭ଘଣ୍ଟା ନିୟମ, ବାୟୋମେଟ୍ରିକ ବ୍ୟବସ୍ଥା, ଏକାଡେମିକ କ୍ୟାଲେଣ୍ଡର କଡ଼ାକଡ଼ି ଭାବେ ପାଳନ ହେଉଛି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯିବ। ସେହିପରି କେଉଁ କଲେଜରେ କେତେ ପଦବୀ ଖାଲି ପଡୁଛି ତାହାର ସମୀକ୍ଷା ମଧ୍ୟ କରାଯିବ।