୮ ଜଣିଆ ଡକାୟତ ଦଳ ଗିରଫ, ଲକ୍ଷାଧିକ ଟଙ୍କା ସହ ଛୁରୀ ଓ ମାରଣାସ୍ତ୍ର ଜବତ

ବରଗଡ଼, ଏନ୍ଏନ୍ଏସ୍: ଦୀର୍ଘ ୮ ଦିନ ଧରି ବରଗଡ଼ର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ଭଳି ସଙ୍ଗିନ ଅପରାଧ କରି ଆତଙ୍କରାଜ ଚଳାଇଥିବା ଏକ ୮ ଜଣିଆ ଡକାୟତ ଦଳକୁ ଗିରଫ କରିଛି ବରଗଡ଼ ପୁଲିସ । ବରଗଡ଼ ଟାଉନ ଥାନା ସମେତ ବରଗଡ଼ ସଦର ଥାନା, ବରପାଲି ଓ ଅମ୍ବାଭୋନା ଅଞ୍ଚଳରେ ଛୁରୀ ଓ ବନ୍ଧୁକ ଦେଖାଇ ବିଭିନ୍ନ ଲୋକଙ୍କ ଠାରୁ ଲୁଟ କରିଥିବା ଏହି ଡକାୟତମାନନେ ଧରାପଡିଛନ୍ତି। ସେମାନଙ୍କ ଠାରୁ ୧ ଲକ୍ଷ ୭ହଜାର ୭ଶହ ନଗଦ ଟଙ୍କା ସହ ଗୋଟିଏ ମହିନ୍ଦ୍ର। ପିକଅପ, ଗୋଟିଏ ଖେଳନା ବନ୍ଧୁକ, ତିନୋଟି ଛୁରୀ, ୯ ଟି ମୋବାଇଲ ସମେତ ଦୁଇଟି ଷ୍ଟିଲ ଫାଇଟର ପୁଲିସ ଜବତ କରିଛି।

ଗିରଫ ଡକାୟତମାନେ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୭ ର ବବଲୁ ପ୍ରଧାନ, ବଣ୍ଟି ପୋଢ଼, ଅମ୍ବାପାଲିର ମନୋଜ ସେଠ, ଯୋଗେଶ ପଟେଲ, ଦିଲ୍ଲୀପ ଅସୁରଜ ଦତ୍ତ, ସଦର ଥାନା ଅନ୍ତର୍ଗତ ଧମନା ମୁଣ୍ଡା ଗ୍ରାମର ଆଶିଷ ଗହୀର, ସୟାଂ ଗ୍ରାମର ପ୍ରତାପ ସିଂ ଓ ଡୁମେର ପାଲିର କିଷାନ ରାଜହଂସ ।

ଏହି ଡକାୟତମାନେ ଜଣେ ପିକଅପ ଡ୍ରାଇଭରକୁ ଅମ୍ବାଭୋନା ଥାନା ଅନ୍ତର୍ଗତ ସମରଧରା ନିକଟରେ ଲୁଟ କରିଥିବାବେଳେ ୫୩ ନମ୍ବର ଜାତୀୟ ରାଜପଥରେ ଠେମରା ଗ୍ରାମ ସୁନୀଲ ପ୍ରଧାନଙ୍କ ଠାରୁ ୬ ହଜାର ଟଙ୍କା ଲୁଟ କରିଥିଲେ।

ସେହିପରି ପ୍ରମୋଦ ସାହୁ ଓ ଆକାଶ ବେହେରାଙ୍କ ଠାରୁ ତିନୋଟି ମୋବାଇଲ ଓ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରିଥିଲେ । ପଦ୍ମପୁରର ଅଜୟ ସାହୁ ନାମକ ଜଣେ ଡାକ୍ତରଙ୍କ ଠାରୁ ବରଗଡ଼ ଓଭରବ୍ରିଜରେ ମରଣାନ୍ତକ ଆକ୍ରମଣ କରି ୯ ହଜାର ଟଙ୍କା ଲୁଟ କରିଥିଲେ । ବରଗଡ଼ ଏସପି ପଦ୍ମିନୀ ସାହୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।