ମାଙ୍କଡ଼ ମାଂସ ଖାଉଥିବା ଅଭିଯୋଗରେ ୮ ଗିରଫ

ଅନୁଗୁଳ, ଏନ୍ଏନ୍ଏସ୍: ଶୁକ୍ରବାର ଦିନ ସାତକୋଶିଆ ଅଭୟାରଣ୍ୟରୁ ହନୁମାଙ୍କଡ଼ ଶିକାର କରି ଖାଉଥିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ୩ ଜଣ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩.୫ କିଲୋଗ୍ରାମ କଞ୍ଚାମାଂସ ଓ ୨ କିଲୋଗ୍ରାମ ରନ୍ଧା ମାଂସ ଜବତ କରିଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେବ ସାତକୋଶିଆ ଅଭୟାରଣ୍ୟରୁ ପ୍ରତିଦିନ ବନ୍ୟଜନ୍ତୁ ଶିକାର ହେଉଥିବାର ବନ ବିଭାଗକୁ ଖବର ଆସିଥିଲା। ଏହି ଖବର ପାଇବା ପରେ ବନ ଅଧିକାରୀମାନେ ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଜାରି ରହିଥିଲା। ବନ ବିଭାଗର ସାତକୋଶିଆ ଅଭୟାରଣ୍ୟରେ ଚଢ଼ାଉ ଜାରି ରହିଥିବା ସମୟରେ ଶୁକ୍ରବାର ଦିନ ସାତକୋଶିଆ ଅଭୟାରଣ୍ୟରୁ ହନୁମାଙ୍କଡ଼ ଶିକାର ହୋଇଥିବାର ଖବର ପାଇଥିଲେ। ତେବେ ଏହି ହନୁମାଙ୍କଡ଼ ଶିକାରୀମାନଙ୍କୁ ଧରିବା ପାଇଁ ବନ୍ତଳା ଥାନା ଅନ୍ତର୍ଗତ ପମ୍ପାସର ରେଞ୍ଜରେ ଚଢ଼ଉ କରି ଶିକାରୀ ସୁଦୀପ୍ତ ମହାପାତ୍ରଙ୍କୁ ବନ ଅଧିକାରୀମାନେ ଗିରଫ କରିଥିଲେ।

ସୁଦୀପ୍ତଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ପୋକତୁଙ୍ଗା ଗ୍ରାମର କୁମୁଦ ପ୍ରଧାନ, ରାଇଗୋଡ଼ା ଗ୍ରାମର ଲଛନ ବେହେରା, ବ୍ରହ୍ମପୁର ଗ୍ରାମର ନରହରି ସାହୁ, ବିଭୀଷଣ ପ୍ରଧାନ ଏଥିରେ ସଂଶ୍ଳିଷ୍ଟ ଥିବା ଜାଣି ସେମାନଙ୍କୁ ଗିରଫ କରିବା ସହ ତପସ୍ୱନୀ ଗଡ଼ନାୟକ, ନୟନା ପ୍ରଧାନ ଓ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତତ୍ ସହିତ ସମ୍ବର ମାଂସ କିଣାବିକାରେ ସଂଶ୍ଳିଷ୍ଟ ଥିବା ବିଭୀଷଣ ପ୍ରଧାନ ଏବଂ କୁମୁଦ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବନ ବିଭାଗ ପକ୍ଷରୁ ପ୍ରକାଶ।