ନାଇରାରେ ଗୁଳିକରି ହତ୍ୟା ଘଟଣା : ୮ଗିରଫ

ରାୟଗଡ଼ା/ଗୁଣପୁର, ଏନ୍ଏନ୍ଏସ୍ : ନାଇରା ଗୁଳିକାଣ୍ଡର ଫର୍ଦ୍ଦଫାଶ କରିଛି ଗୁଡରି ପୁଲିସ । ଏହି ଘଟଣାରେ ଦୁଇ ସ୍ତ୍ରୀ ଓ ଶାଶୂ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ପାରିବାରିକ କନ୍ଦଳ ଯୋଗୁଁ ଯୁବକଙ୍କୁ ସୁପାରୀ ଦେଇ ହତ୍ୟାକରିଥିଲେ ଦୁଇ ସ୍ତ୍ରୀ ଓ ଶାଶୂ । ସୂଚନା ଅନୁସାରେ, ରବିବାର ନାଇରା ଗ୍ରାମର ହରିଜନ କୋଲନୀରେ ବିଳମ୍ବିତ ରାତ୍ରରେ ଗୁଳିକରି କିରଣ ଗାଣ୍ଟା ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରଯାଇଥିଲା । ମୃତ କିରଣ ଅଧିକାଂଶ ସମୟରେ ମଦ୍ୟପାନ କରି ପରିବାର ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଜୀବନରେ ମାରିଦେବାକୁ ଷଡ଼ଷନ୍ତ୍ର ରଚିଥିଲେ ଦୁଇ ସ୍ତ୍ରୀ ଏବଂ ଶାଶୂ । ମୃତ କିରଣର ଶାଶୂ ବିରାଜିନୀ କରାଡ ଗତକିଛି ମାସ ହେଲା ହତ୍ୟା କରିବାକୁ ଯୋଜନା କରି ଗୁଡାରୀ ଥାନା ଅନ୍ତର୍ଗତ ପୂଜାବିଲ ଗ୍ରାମର ନିଳାମ୍ବରକୁ ୨୦ହଜାର ଟଙ୍କା ଦେବାପାଇଁ ସ୍ଥିର କରିଥିଲେ। ତା’ପରେ ହତ୍ୟାକାଣ୍ଡର ବ୍ଲିପିଣ୍ଟ ପ୍ରସ୍ତୁତ ହୋଇଥିଲା । ଏଥିରେ ନିଳାମ୍ବରଙ୍କ ସହଯୋଗୀ ତଟାଗୁଡା ଗ୍ରାମର ଦାସୁ ବିଡିକା, ପପିଖାଲ ଗ୍ରାମର ମଧୁସୁଦନ ହିକାବାଡି, ଚନ୍ଦ୍ରପୁର ବ୍ଲକର ଶିରିପଦର ଗ୍ରାମର ଆନ୍ଦିୟ ଗାଡାକା, ପାପିଖାଲ ଗ୍ରାମର ପିଣ୍ଟୁ ହିକାବାଡି ହତ୍ୟା ପାଇଁ ପ୍ରସ୍ତୁତି ଶେଷ କରିଥିଲେ ।

ହତ୍ୟା କରିବା ନିମନ୍ତେ ମୃତ କିରଣର ଶାଶୂ ବିରାଜିନୀ କରାଡ ଆଗୁଆ ୧୦ହଜାର ଟଙ୍କା ଓ ଏକ ବାଇକ୍ ଦେଇଥିଲେ । ଗତ ରବିବାର ମଧ୍ୟରାତ୍ରରେ ଏକ ଦେଶୀ ବନ୍ଧୁକରେ କିରଣକୁ ଶୋଇଥିବା ଅବସ୍ଥାରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା। ଏପରିକି ଶାଶୂ ବିରାଜିନୀ, ପ୍ରଥମ ସ୍ତ୍ରୀ ରଜନୀ ଗାଣ୍ଠା, ଦ୍ୱିତୀୟ ସ୍ତ୍ରୀ ନିଆମୀ ଗାଣ୍ଠା ଉପସ୍ଥିତରେ ଏଭଳି ବର୍ବରଚିତ ହତ୍ୟା କରାଯାଇ ଥିବା ସ୍ୱୀକାର କରିଛନ୍ତି ମୃତ କିରଣର ଶାଶୂ ବିରାଜିନୀ କରାଡ଼ । କିରଣକୁ ଆନ୍ଦ୍ରିୟ ଗାଡାକା ଦେଶୀ ବନ୍ଧୁକରେ ଗୁଳିଚାଲଣା କରିଥିବା ପୁଲିସର ତଦନ୍ତ ସମୟରେ ଜଣାପଡିଛି । ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ମୋବାଇଲ, ଏକ ବାଇକ, ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକ ଆଦି ସାମଗ୍ରୀକୁ ପୁଲିସ ଜବତ କରିବା ସହ ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ମଞ୍ଜୁର ନହେବାରୁ ୮ ଅଭିଯୁକ୍ତଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି।