ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆପାଚି ହେଲିକପ୍ଟର

ପଠାନକୋଟ୍,ଏଜେନ୍ସି: ଅଜି ଆପାଚି ହେଲିକାପ୍ଟର ଭାତକୁ ଆସିଯାଇଛି। ଆମେରିକାରୁ କିଣା ଯାଇଥିବା ୮ଟି ଆପାଚି ହେଲିକପ୍ଟରକୁ ମଙ୍ଗଳବାର ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ଫଳରେ ବାୟୁସେନାର ୧୨୫ ହେଲିକପ୍ଟର ୟୁନିଟ୍ ଆହୁରି ଶକ୍ତିଶାଳୀ ହୋଇଛି।

ଭାରତୀୟ ବାୟୁସେନା ୪୦ ବର୍ଷ ତଳର ପୁରୁଣା ଲଢ଼ୁଆ ବିମାନ ବ୍ୟବହାର କରୁଛି ବୋଲି ଏକଦା ବାୟୁସେନା ମୁଖ୍ୟ ବିଏସ୍ ଧାନୋଆ କ୍ଷୋଭ ପ୍ରକାଶ କରିଥିଲେ। ମାତ୍ର ମଙ୍ଗଳବାର ତାଙ୍କରି ଉପସ୍ଥିତିରେ ପଠାନକୋଟ୍ ଏୟାରବେସ୍ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶକ୍ତିଶାଳୀ ଆପାଚି ହେଲିକପ୍ଟର ବାୟୁସେନାରେ ସାମିଲ ହୋଇଛି। ଏବେ ଆପାଚି ହେଲିକପ୍ଟର ପଠାନକୋଟ୍ ବାୟୁସେନା ଘାଟିର ଶୋଭାବର୍ଦ୍ଧନ କରିବ ବୋଲି ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ ଧାନୋଆ କହିଛନ୍ତି। ୨୨ଟି ଆପାଚି ହେଲିକପ୍ଟର କିଣିବା ପାଇଁ ବୋଇଙ୍ଗ୍ କମ୍ପାନୀ ଓ ଆମେରିକା ସରକାରଙ୍କ ସହ ଚୁକ୍ତି ହୋଇଛି। ପ୍ରଥମ ଦଫାରେ ୮ଟି ହେଲିକପ୍ଟର ଭାରତରେ ପହଞ୍ôଚଛି। ବାକି ଅନ୍ୟ ହେଲିକପ୍ଟରଗୁଡ଼ିକ ୨୦୨୦ ମାର୍ଚ୍ଚ ସୁଦ୍ଧା ଭାରତରେ ପହଞ୍ଚିବ।

ଏହି ୨୨ଟି ଆପାଚି ମଧ୍ୟରୁ ୧୧ଟି ପାକ୍ସୀମା ନିକଟକୁ ଲାଗିଥିବା ପଠାନକୋଟ୍ ଓ ଅନ୍ୟ ୧୧ଟି ଚୀନସୀମା ସନ୍ନିକଟ ଆସାମର ଜୋରହାଟ୍ ବାୟୁସେନା ଘାଟିରେ ମୁତୟନ କରାଯିବ। ଆପାଚି ହେଲିକପ୍ଟରର ବିଶେଷତ୍ୱ ହେଉଛି ଅନ୍ଧାର ଭିତରେ ଶତ୍ରୁପକ୍ଷକୁ ଠାବ କରି ଧୂଳିସାତ୍ କରିବା। ଗୋଟିଏ ମିନିଟ୍ରେ ୧୨୮ ସ୍ଥାନକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷମତା ଏହି ହେଲିକପ୍ଟରର ଅଛି। ଘଣ୍ଟା ପ୍ରତି ୨୯୩ କିଲୋମିଟର ଅତିକ୍ରମ କରିବା ଏହାର ଆଉ ଏକ ବିଶେଷତ୍ୱ।

ଏହି ହେଲିକପ୍ଟରରୁ ଭୂପୃଷ୍ଠରେ ଥିବା ଟ୍ୟାଙ୍କ, କମାଣ, ମିସାଇଲ୍ ଲଞ୍ଚର୍କୁ ନିମିଷକ ମଧ୍ୟରେ ନଷ୍ଟ କରିହେବ। ତା’ ସହିତ ଆକାଶମାର୍ଗରେ କ୍ଷେପଣାସ୍ତ୍ରକୁ ଅକ୍ଲେଶରେ ନଷ୍ଟ କରିହେବ। ଆଗକୁ ଆପାଚି ହେଲିକପ୍ଟର ଜରିଆରେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତ ଅଣ୍ଟା ଭିଡିଛି। ଏକଦା ପଠାନକୋଟ୍ରେ ପ୍ରବେଶ କରିଥିବା ପାକ୍ ଆତଙ୍କୀଙ୍କୁ ଖୋଜି ବାହାର କରିବାକୁ ବାୟୁସେନାକୁ ଦୁଇଦିନ ଲାଗି ଯାଇଥିଲା। ଆପାଚି ସାହାଯ୍ୟରେ ଆତଙ୍କୀଙ୍କ ଫଟୋ ଉଠାଇ କମାଣ୍ଡୋଙ୍କ ନିକଟକୁ ପଠାଯାଇ ପାରିବ। ବିଶେଷ କରି ଆତଙ୍କୀ ହମ୍ଲା ରୋକିବାକୁ ଆପାଚି ସକ୍ଷମ ହେବ ବୋଲି ଭାରତ ସରକାର ଆଶାବ୍ୟକ୍ତ କରିଛନ୍ତି। ଏବେ ପଠାନକୋଟ୍ ବାୟୁସେନା ଘାଟିରେ ରୁଷ ନିର୍ମିତ ଏମ୍ଆଇ-୨୫ ଓ ଏମ୍ଆଇ-୩୫ ହେଲିକପ୍ଟରକୁ ନେଇ ଗୋଟିଏ ୟୁନିଟ୍ କାମ କରୁଛି। ଏହି ୟୁନିଟ୍ରେ ଆପାଚିକୁ ସାମିଲ କରାଯିବା ଫଳରେ ବାୟୁସେନାର ଦକ୍ଷତା ବୃଦ୍ଧି ପାଇବ ବୋଲି ସେନା ପ୍ରବକ୍ତା କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି। ପଠାନକୋଟରୁ ଜମ୍ମୁ-କଶ୍ମୀରସ୍ଥିତ ସୀମା ନିୟନ୍ତ୍ରଣ ରେଖା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇ ପାରିବ।