ସ୍କୁଲ ପିଲାଙ୍କୁ ପାଠ ପଢ଼େଇଲେ ପର୍ଯ୍ୟଟନ ମନ୍ତ୍ରୀ

ରାୟଗଡ଼ା, ଏନ୍ଏନ୍ଏସ୍: କୋରାପୁଟ ଗସ୍ତ ସାରି ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି ପର୍ଯ୍ୟଟନ , ସଂସ୍କୃତି ଏବଂ ଓଡ଼ିଆ ଭାଷା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି । ରାୟଗଡ଼ାଗସ୍ତ ସମୟରେ ସେ ପ୍ରଥମେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଭାକୁର ଗୁଡ଼ା ସେବାଶ୍ରମକୁ ଯାଇ ସ୍କୁଲ ସ୍ଥିତି ପରଖି ଥିଲେ । ବର୍ଷା ପାଗ ସତ୍ୱେ ମନ୍ତ୍ରୀ ପାଣିଗ୍ରାହି ବିଦ୍ୟାଳୟରେ ପହଁଚି ପ୍ରଥମେ ସପ୍ତମ ଶ୍ରେଣୀକୁ ଯାଇ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା କିପରି ଚାଲିଛି ପଚାରି ବୁଝିଥିଲେ ।ଏହି ସମୟରେ ସକାଳର ମେନ୍ୟୁ ସମ୍ପର୍କରେ ପଚାରିବା ସହ ଦୈନନ୍ଦିନ ସ୍କୁଲର କାର୍ଯ୍ୟ ଧାରା ପଚାରି ବୁଝିଥିଲେ । ସେଠାରୁ ସେ କମ୍ପୁଟର କକ୍ଷକୁ ଯାଇଥିଲେ ସେଠାରେ ଉପସ୍ଥିତ ଷଷ୍ଠ ଶ୍ରେଣୀର ଛାତ୍ର ସଞ୍ଜୟ ମିଣିଆକାଙ୍କୁ କମ୍ପ୍ୟୁଟର ପରିଚାଳନା କରିବାକୁ କହିଥିଲେ ।

ପରେ ସେଠାରେ ଉପସ୍ଥିତ କିଛି ପିଲାଙ୍କୁ କମ୍ପ୍ୟୁଟରର ବିଭିନ୍ନ ଅଂଶ ବିଷୟରେ ପଚାରିବା ବେଳେ କିଛି ଛାତ୍ର ଉତର ଦେଇଥିବା ବେଳେ ଅନେକ ଛାତ୍ର କହିପାରି ନଥିଲେ । ଏନେଇ ସେ ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମାତ୍ର ୬ ଜଣ ଶିକ୍ଷକ ରହିଥିବା ବେଳେ କମ୍ପ୍ୟୁଟର ଶିକ୍ଷକ ନଥିବା ପ୍ରକାଶ କରିଥିଲେ । ପରେ ସେ ବିଦ୍ୟାଳୟର ହଷ୍ଟେଲ ଯାଇ ପିଲାଙ୍କ ଶୟନ କକ୍ଷ ,ପାଇଖାନା ଆଦିବୁଲି ଦେଖିଥିଲେ ।

ସେଠାରୁ ସେ ରାୟଗଡ଼ା ସହର ଉପକଣ୍ଠରେ ଥିବା ପର୍ଯ୍ୟଟନ ସ୍ଥଳି ପ୍ରେମ ପାହାଡ଼ ଯାଇ ସ୍ଥିତ ଅନୁଧ୍ୟାନ କରିବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ପାଇଁ ସରକାର ଯୋଜନା କରୁଛନ୍ତି ଏବଂ ରାୟଗଡ଼ାରେ ମଧ୍ୟ ପ୍ରେମ ପାଡାଡ଼ ଭଳି ଆଉ କିଛି ପର୍ଯ୍ୟଟନ ସ୍ଥଳିର ଉଦ୍ଧାରପାଇଁ ଯୋଜନା ହାତକୁ ନିଆଯାଇଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ପରେ ସେ ଅଚାନକ ସହର ତଳିରେ ଥିବା ଏକଲବ୍ୟ ଆଶ୍ରମ ସ୍କୁଲକୁ ଯାଇ ଦଶମ ଏବଂ ଏକାଦଶ ଶ୍ରେଣିର ପିଲାଙ୍କୁ ପାଠ ପଢ଼ାଇଥିଲେ ।

ପରେ ସାଇନଓ ଲ୍ୟାବ ଏବଂ ଲାଇବ୍ରେରି ଯାଇ କିଛିପିଲାଙ୍କ ସହ ଆଲୋଚନା କରିଥିଲେ । ଶେଷରେ ଏହି ଆଶ୍ରମ ସ୍କୁଲର ଛାତ୍ରୀନିବାସ ପରିଦର୍ଶନ କରି ପିଲାଙ୍କ ସହିତ ଏକାଠି ବସି ଖାଇଥିଲେ । ତାଙ୍କ ସହିତ ପୁର୍ବତନ ଏମପି ଝିନ ହିକକା , ପୁର୍ବତନ ନଗରପାଳ ଗୈରି ଜୟନ୍ତି , ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ପୁୃଆଲା , ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସରକାର ଆମ ସରକାର ଯୋଜନା ମାଧ୍ୟମରେ ଶାସନକୁ ଲୋକଙ୍କପାଖରେ ପହଁଚାଂଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଏହା ସୁଫଳ କିଭଳି ମିଳୁଛି ତାର ସମିକ୍ଷା କରିଥିଲେ ।