ଝାରସୁଗୁଡ଼ାରୁ ୭୭ କରୋନା ପଜିଟିଭ ଚିହ୍ନଟ: କୋଭିଡ ହସ୍ପିଟାଲରେ ଲେବୋରେଟରୀ ସ୍ଥାପନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗଡ଼ା ଜିଲ୍ଲାରେ ପୁଣି ୭୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୦୨କୁ ବୃଦ୍ଧି ପାଇଛି। ସେହିପରି ୪,୬୩୪ ଜଣ ସୁସ୍ଥ ହୋଇଛନ୍ତି ଓ ୪୮୮ ଜଣଙ୍କ ଚିକିତ୍ସା ଜାରି ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୪ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୫ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୬ଜଣ, ଝାରସୁଗୁଡ଼ା ବ୍ଲକରୁ ୪ଜଣ, ଲଖନପୁର ଓ କିର୍ମିରା ବ୍ଲକ ଅଞ୍ଚଳରୁ ୧୧ଜଣ ଲେଖାଏଁ, ଲଇକେରା ବ୍ଲକରୁ ୩ଜଣ, କୋଲାବିରା ବ୍ଲକରୁ ୧୬ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ୭ଜଣ ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖା ବଢ଼ିବା ପରେ ରାଜ୍ୟ ସରକାରଙ୍କ ସହାୟତାରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଏକ ଲେବୋରେଟରୀ ସ୍ଥାପନ କରିବା ସହ ଆରଟିପିସିଆର ଇନଷ୍ଟଲ କରି ଟେଷ୍ଟ ଆରମ୍ଭ କରାଯାଇଛି। ଏହି ଟେଷ୍ଟ କରିବା ପାଇଁ ବୁର୍ଲ୍ଲା ତଥା ଭୁବନେଶ୍ୱରରୁ ପ୍ରଶିକ୍ଷଣ ନେଇଥିବା ୨ଜଣ ମାଇକ୍ରୋ ବାଇଓଲୋଜିଷ୍ଟ ଓ ୧୩ଜଣ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି। ଏବେ ଝାରସୁଗୁଡ଼ାରେ ଆରଟିପିସିିଆର ଟେଷ୍ଟ ହେବାଦ୍ୱାରା ଆକ୍ରାନ୍ତଙ୍କ ରିପୋର୍ଟ ଶୀଘ୍ର ହସ୍ତଗତ ହୋଇପାରିବ। ଆଉ ଆକ୍ରାନ୍ତଙ୍କୁ ଯଥାଶୀଘ୍ର ଚିକିତ୍ସା ପ୍ରଦାନ କରାଯାଇପାରିବ।