ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ ୭,୫୦୦ ଲେଖାଏଁ ମିଳୁ: କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକ୍ଡାଉନ୍ ଲାଗୁ ହେବାକୁ ୩ମାସ ହୋଇଯାଇଥିବା ବେଳେ ଏଭଳି ସ୍ଥିତିରେ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକେ ଓ ଅଟୋ ଓ ରିକ୍ସା ଚଳାଉଥିବା ଲୋକେ ରୋଜଗାର ହରାଇଛନ୍ତି। ଏମାନଙ୍କ ପାଇଁ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ପକ୍ଷରୁ ଅର୍ଥ ରାଶିର ଦାବି ହୋଇଛି। ପ୍ରଥମେ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଓ ପରେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୭,୫୦୦ଟଙ୍କା ଲେଖାଏଁ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ରଖାଯାଇଛି।

ତେବେ ଲକଡାଉନ୍ ଅବଧି ଭିତରେ ରାଜ୍ୟକୁ ୩ ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ ୧୨ ଲକ୍ଷ ରାଜ୍ୟ ସରକାରଙ୍କ ପୋର୍ଟାଲରେ ରେଜିଷ୍ଟ୍ରେସନ କରିଛନ୍ତି। ଏମାନଙ୍କ ମଧ୍ୟରୁ ପାଖାପାଖି ଏକ ଚତୁର୍ଥାଂଶ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ବାକି ପ୍ରବାସୀ ଶ୍ରମିକ କେବେ ଫେରିବେ ବୋଲି ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ପ୍ରଶ୍ନ କରିଛି। ମଜଦୁର୍ କଂଗ୍ରେସର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କ୍ୱାରେଣ୍ଟାଇନ୍ ହୋମ୍ରେ ରହୁଥିବା ପ୍ରବାସୀମାନଙ୍କୁ ୨ହଜାର ଟଙ୍କା ଦେବା ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ଏବେ ଟ୍ରେନ ଭଡ଼ା କାଟି ବାକି ଟଙ୍କା ଦେଉଛନ୍ତି।

ସେହିଭଳି ବିଦେଶ ଫେରନ୍ତାଙ୍କୁ ୧୫ହଜାର ଟଙ୍କା ଦେବାର ଘୋଷଣା ହୋଇଥିଲା, ଉକ୍ତ ଅର୍ଥ ରାଶି ମଧ୍ୟ ମିଳୁନି। ଦୁର୍ଘଟଣାରେ ମରିଥିବା ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ରାଶି ଦେବା ନେଇ କୁଣ୍ଠାବୋଧ କରୁଛନ୍ତି। ଏଭଳି ଆଭିମୁଖ୍ୟ ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ଶ୍ରମର ଅବଧିକୁ ୮ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇ ସରକାର ନିଜର ଅମାନବିକତାର ପରିଚୟ ଦେଇଛନ୍ତି। କେନ୍ଦ୍ର ସରକାର ୨୨ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମାସକୁ ୧୫ଶହ ଟଙ୍କା ଦେବେ ବୋଲି କହିଥିଲେ। ସବୁ ଶ୍ରମିକଙ୍କୁ ଏଯାବତ୍ ଅର୍ଥରାଶି ମିଳିନାହିଁ। ଉଲ୍ଲେଖଯୋଗ୍ୟ ଯେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖୁଣ୍ଟିଆଙ୍କ ସମେତ ସମ୍ପାଦକ କିଶୋର ଜେନା, ଉପ ସଭାପତି ମଦନ ମୋହନ ଧଳ ପ୍ରମୁଖ ଉପସ୍ଥିତ ଥିଲେ।