ନୂଆଦିଲ୍ଲୀ: ଦୁନିଆରେ ସବୁଠୁ ଅଧିକ କରୋନା ସଂକ୍ରମଣ ଭାରତରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ୭୫ ହଜାର ୮୦୯ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧,୧୩୩ ଜଣଙ୍କର ମୃତ୍ୟୁ ଘଟିିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷକୁ ବୃଦ୍ଧି ପାଇଛି। ଫଳରେ ବ୍ରାଜିଲକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଯାଇଛି। ଏଥିସହିତ ଆମେରିକା କରୋନା ପ୍ରଭାବିତ ମାମଲାରେ ପ୍ରଥମ ସ୍ଥାନରେ ରହିଛି। କିନ୍ତୁ ଭାରତରେ ପ୍ରତିଦିନ ଆମେରିକାଠାରୁ ଦୁଇ, ତିନି ଗୁଣା ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୩ଲକ୍ଷ ୨୩ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୭୨ ହଜାର ୭୭୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୮ଲକ୍ଷ ୮୩ ହଜାର ସକ୍ରିୟ ରହିଛନ୍ତି। ବର୍ତ୍ତମାନ ସମୟରେ ସକ୍ରିୟ ସଂକ୍ରମଣ ତୁଳନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୩ ଗୁଣା ଅଧିକ ରହିଛି।
ଆଇସିଏମଆର ମୁତାବକ, ଦେଶରେ ସେପ୍ଟେମ୍ବର ୭ ସୁଦ୍ଧା ୫ କୋଟି ୬ଲକ୍ଷ କରୋନା ଟେଷ୍ଟ ହୋଇସାରିଛି। ସେଥିମଧ୍ୟରୁ ଗତକାଲି ୧୧ଲକ୍ଷ ନମୁନା ଟେଷ୍ଟ କରାଯାଇଥିବାବେଳେ ପଜିଟିଭ ମାମଲା ୭ ପ୍ରତିଶତ ରହିଛି। ଏଥିସହିତ ମୃତ୍ୟୁହାର ଓ ସକ୍ରିୟ ସଂକ୍ରମିତଙ୍କ ହାର ମଧ୍ୟ ଦିନକୁଦିନ କମିବାରେ ଲାଗିଛି।