ବିଭିନ୍ନ ମେଡିକାଲ ଓ ଆରଟିଓ ଅଫିସରେ ଚଢ଼ଉ : ଦ୍ୱିତୀୟ ଦିନରେ ୭୫ ଦଲାଲ୍ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ ମେଡିକାଲ ଓ ଆରଟିଓ ଅଫିସରେ ଚଢ଼ଉ କରାଯାଇ ୭୫ ଜଣ ଦଲାଲ୍ ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ହସ୍ପିଟାଲରୁ ୩୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆରଟିଓ ଅଫିସରୁ ୪୪ ଜଣଙ୍କୁ ଗିରଫ କରାଯାଇଛି ।

ବ୍ରହ୍ମପୁରରୁ ୭ ଜଣ, ଗଞ୍ଜାମରୁ ୬ ଜଣ, ସୋନପୁରରୁ ଜଣେ, ଅନୁଗୋଳରୁ ୭ ଜଣ, ରାଉରକେଲାରୁ ୮, ବାଲେଶ୍ୱରରୁ ୮, ଭଦ୍ରକରୁ ୨, କେନ୍ଦୁଝର ୬, କୋରାପୁଟରୁ ଜଣେ, ରାୟଗଡ଼ାରୁ ୮ ଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ମୟୂରଭଞ୍ଜ ହସ୍ପିଟାଲରୁ ୩ ଜଣ, ଆରଟିଓ ଅଫିସରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, ଜଗତସିଂହପୁରରୁ ଜଣେ, ନବରଙ୍ଗପୁରରୁ ୨ ଜଣ, ଯାଜପୁର ହସ୍ପିଟାଲରୁ ଜଣେ, ଆରଟିଓ ଅଫିସରୁ ୨ ଜଣ ଏବଂ ଦେବଗଡ, ଢେ଼ଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଦଲାଲ୍ ଙ୍କୁ ପୋଲିସ ଗିରଫ କରିଥିବା ନେଇ ରାଜ୍ୟ ପୋଲିସ ଡ଼ିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, ମେଡିକାଲ ଗୁଡିକୁ ଦଲାଲ୍ ଏବଂ ମଧ୍ୟସ୍ଥି ମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ପରେ ଗତକାଲି ରାଜ୍ୟର ବିଭିନ୍ନ ମେଡିକାଲ, ଡିସପେନସାରୀରେ ଚଢ଼ଉ କରାଯାଇ ପ୍ରାୟ ୩୦ ଜଣ ଦଲାଲ୍ ଙ୍କୁ ଗିରଫ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ପୋଲିସର ଅନୁରୂପ ଅଭିଯାନ ଜାରୀ ରହିବ ବୋଲି ଜଣାପଡିଛି ।

କାରଣ ଡ଼ିସିପି ଓ ଏସପିଙ୍କ ତତ୍ୱାବଧାନରେ ଦଲାଲ୍ ଙ୍କୁ ଗିରଫ କରିବା ପାଇଁ ପୋଲିସ ଅଫିସର ଅଭିଯାନ ଜାରୀ ରଖିବାକୁ ବିଭାଗୀୟ ନିର୍ଦ୍ଧେଶ ରହିଛି । ଏଥିସହିତ ଡିସିପି ଓ ଏସପି ମାନେ ନିୟମିତ ଭାବେ ଦଲାଲ୍ ମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଡିଜିପିଙ୍କ ନିକଟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।