ପାଟଣା,ଏନ୍ଏନ୍ଏସ୍: କରୋନା ମହାମାରୀ ସହିତ ରାଜ୍ୟ ସଂଘର୍ଷ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ରାଜକୋଷରୁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପାଣ୍ଠିକୁ ବିଭିନ୍ନ କ୍ଷେତ୍ରରୁ ସହାୟତା ପ୍ରଦାନ କରାଯାଇଛି। ଏହି ଘଡିସନ୍ଦି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପାଟଣା ସୁରକ୍ଷା କମିଟିର ଆବାହକ ତଥା ପାଟଣାର ଯୁବ ସମାଜସେବୀ ବିଜୟ ରତ୍ନ ପତି। ଏଥିସହ କରୋନା ଯୁଦ୍ଧରେ ସାରଥୀ ସାଜିଥିବା ପାଟଣା ଅଞ୍ଚଳର ଯୋଧ୍ୟାଙ୍କୁ ଶ୍ରୀ ପତି ପ୍ରସଂଶା କରିଛନ୍ତି।
ଯୁବ ସମାଜ ସେବୀ ଶ୍ରୀ ପତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ୧୦୧ଟଙ୍କା ପ୍ରଦାନ କରିଛନ୍ତି। ଏଥି ସହିତ ଏପରି ବିପଦ ସମୟରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇବାକୁ ଅଞ୍ଚଳ ବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଶନିବାର ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ଏହି ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ତହସିଲଦାର ଶ୍ରୀ ମୁର୍ମୁ ଉକ୍ତ ସହାୟତା ରାଶିକୁ ଅନଲାଇନରେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରେ ଜମା କରିଛନ୍ତି। ରାଜ୍ୟରେ ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଥିବା ଶ୍ରୀ ପତିଙ୍କ ବଦାନ୍ୟତା ମନୋଭାବକୁ ପାଟଣା ଅଞ୍ଚଳର ବୁଦ୍ଧିଜୀବୀ ବେଶ ପ୍ରଶଂସା କରିଛନ୍ତି। ସେହିପରି ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ ଶ୍ରୀ ପତିଙ୍କୁ ସାଧୁବାଦ ଜଣାଇଛନ୍ତି।