କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୫ରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୩ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୧୧ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୫୯ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ପୁଲିସ୍ କର୍ମଚାରୀ ଏବଂ ୧୦ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରହିଥିବା ଜଣାପଡ଼ିିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କୋରାପୁଟ ପୌରାଞ୍ଚଳରୁ ୧୨, ଜୟପୁର ପୌରାଞ୍ଚଳରୁ ୧୭, ସେମିଲିଗୁଡ଼ା ବ୍ଲକରୁ ୧୬, ବନ୍ଧୁଗାଁ ବ୍ଲକରୁ ୮, କୋରାପୁଟ ଓ ପଟ୍ଟାଙ୍ଗୀ ବ୍ଲକରୁ ୫ ଲେଖାଏଁ, ଲକ୍ଷ୍ମୀପୁରରୁ ୪, ସୁନାବେଡ଼ା ପୌରାଞ୍ଚଳ ଓ ଲମତାପୁଟରୁ ୨ ଲେଖାଏଁ, କୁନ୍ଦୁରା ବ୍ଲକରୁ ଜଣେ ଏବଂ ଅନ୍ୟଜଣେ ଆକ୍ରାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସାଧାରଣ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏସଏଲଏନ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଆର୍ଟିଫିସିଆଲ୍ ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିବାରୁ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଲୋକେ ଏଥିରେ ଭୟଭୀତ ହେବାର ନାହିଁ, ଯେତେଶୀଘ୍ର ପରୀକ୍ଷା କରାଯିବ ସେତେଶୀଘ୍ର କରୋନା ମୁକାବିଲା ପାଇଁ ଆମେ ପଦକ୍ଷେପ ନେଇପାରିବା ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି। ତେଣୁ ଲୋକେ କୋଭିଡ୍-୧୯ ନିୟମ ମାନି ଜିଲ୍ଲା ପ୍ରଶାସନକୁ ସହାୟତା କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।