ଟ୍ରକରୁ ଆଦାୟ ହେଲା ୭୦ ହଜାର ଫାଇ, ୬ ଦିନରେ ୧୬ଲକ୍ଷ ଜୋରିମାନା

ସମ୍ବଲପୁର,ଏନ୍ଏନ୍ଏସ୍: ଗତ ୧ ତାରିଖରୁ ସମଗ୍ର ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ ଆରଟିଓ ବିଭାଗ ଓ ପୁଲିସ୍ ପକ୍ଷରୁ ବ୍ୟାପକ ଯାଞ୍ଚ ଚାଲିଛି। ପୂର୍ବାପେକ୍ଷା ଗାଡ଼ି ଚଳାଚଳ ପାଇଁ ରହିଥିବା ନିୟମ ଉଲ୍ଲଘଂନ ନେଇ ବହୁଗୁଣା ଫାଇନ ଆଦାୟ ହେଉଥିବାରୁ ଲୋକେମଧ୍ୟ ସଚେତନ ହୋଇଛନ୍ତି।

ଆରଟିଓ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ନିୟମ ଉଲ୍ଲଘଂନ କରିଥିବା ଏକ ଟ୍ରକରୁ ୭୦ ହଜାର ଟଙ୍କା ଫାଇନ ଆଦାୟ କରଯାଇଛି। ଏମଭିଆଇ ବି. ସିଂରାୟଙ୍କ ସୂଚନା ଅନୁଯାୟୀ ରାଜ୍ୟ ବହାରୁ ଆସିଥିବା ଉକ୍ତ ଟ୍ରକରେ ଓଭରଲୋଡ୍ ସାମଗ୍ରୀ ଥିବା ସହ ଅନ୍ୟାନ୍ୟ ନିୟମ ଉଲ୍ଲଘଂନ ହେଉଥିବାରୁ ୮୫ ହଜାର ଟଙ୍କା ଫାଇନ ହୋଇଥିଲା। ତେବେ ଟ୍ରକ ମାଲିକଙ୍କ ପକ୍ଷରୁ ୭୦ ହଜାର ଟଙ୍କା ଫାଇନ ଦାଖଲ କରି ସେଟେଲମେଣ୍ଟ କରଯାଇଥିଲା।

ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ଓ ଆରଟିଓ ବିଭାଗ ପକ୍ଷରୁ ମୋଟ ୧୫୨ଟି ଚାଲାଣ କଟାଯାଇ ୧୬ ଲକ୍ଷ ୪୦ ହଜାରରୁ ଅଧିକ ଟଙ୍କା ପୈଠ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁଦ୍ଧା ଆରଟିଓ କାର୍ଯ୍ୟାଳୟରେ ୪ ଲକ୍ଷ ୧୮ ହଜାର ୭୫୦ ଟଙ୍କା ଲୋକେ ପୈଠ କରିଛନ୍ତି ବୋଲି ଶ୍ରୀ ସିଂରାୟ ସୂଚନା ଦେଇଛନ୍ତି।