କୋଟାରୁ ଝାରସୁଗୁଡ଼ା ଫେରିଲେ ୭୦ ଛାତ୍ରଛାତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ଯୋଗୁ କୋଟାରେ ଫସି ରହିଥିବା ଝାରସୁଗୁଡ଼ାର ୭୦ଜଣ ଛାତ୍ରଛାତ୍ରୀ ଆଜି ସ୍ୱତନ୍ତ୍ର ବସ ଯୋଗେ ବେଲପାହାଡ଼ରେ ପହଁଚିଛନ୍ତି। ଏହି ଛାତ୍ରଛାତ୍ରୀଙ୍କୁ ବେଲପାହାଡ଼ କଲେଜର ବାଳିକା ହୋଷ୍ଟେଲରେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବେଲପାହାଡ଼ ପହଁଚିବା ପରେ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ପଠାଯାଇଛି। ଏହି ଛାତ୍ରଛାତ୍ରୀ ବାହାର ରାଜ୍ୟରୁ ଆସିଥିଲେ ମଧ୍ୟ କେବଳ ଥର୍ମାଲ ସ୍କ୍ରିନିଂ, ହେଣ୍ଡ ସାନିଟାଇଜ ଓ ଠିକଣା ସଂଗ୍ରହ କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖିବାର ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସାଧାରଣରେ ସମାଲୋଚନା କରାଯାଉଛି। ଅନ୍ୟପଟେ ଏସମ୍ପର୍କରେ ଝାରସୁଗୁଡ଼ାର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ, ଯେଉଁ ଛାତ୍ରଛାତ୍ରୀ ହୋମ କ୍ୱରେଣ୍ଟାଇନରେ ରହିପାରିବେନି ଅଥବା ନିୟମ ଉଲଂଘନ କରିବେ ସେମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି।