କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସଦର ଥାନା ଅଞ୍ଚଳର ଏକ ବ୍ୟାଙ୍କ ଶାଖାରେ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ପୁଲିସ ୭ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପିସ୍ତଲ ଓ ଅନ୍ୟାନ ମାରଣାସ୍ତ୍ର ସହ ଚୋରି ବାଇକ ଜବତ କରିଛି। ସମସ୍ତ ଡକାୟତ ଆନ୍ତଃରାଜ୍ୟ ଏବଂ ଓଡିଶାର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ପୁଲିସ ସୂଚନା ଦେଇଛି। ଶନିବାର ରାତିରେ ଉପରୋକ୍ତ ୭ ଡକାୟତ ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗାଠାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଡକାୟତି କରିବାକୁ ଯୋଜନା କରୁଥିବା ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଖବର ପାଇ ସଦର ପୁଲିସ ଚଢ଼ଉ କରି ବିରୁଆ ଦୋରାଇବୁରୁ, ଲକ୍ଷ୍ମଣ ହୋନହାଗା, ଉମାକାନ୍ତ ମହାନ୍ତ, ସାଗର ହିସ୍ସା, କାଳିଚରଣ ମାର୍ଲା, ଲାଖିଣ୍ଡା ପ୍ରଧାନ, ଏବଂ ଦିନଦୟାଲ ମହାନ୍ତକୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ରିଭଲଭର୍,୨ଟ ପିସ୍ତଲ୍, ଗୋଟିଏ ବଡ ଖଣ୍ଡା, ଗୋଟିଏ ଛୁରୀ,ଗୋଟିଏ ଲୁହା କାଟିବା ବ୍ଲେଡ୍, ୫ଟି ବାଇକ୍,୫ଟି ମୋବାଇଲ୍,୪ଟି ଏଟିଏମ୍,୭ଟି ମୁଖା ଓ ୧୦୫୦ ଟଙ୍କା ଜବତ କରାଯାଇଛି। ଏନେଇ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି।