କିଭ୍,ଏଜେନ୍ସି: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବଢ଼ି ବଢ଼ି ଚାଲିଛି। ୩ ଥରର ଆଲୋଚନା ବିଫଳ ହୋଇସାରିଛି। ବିଦେଶ କୁଟନୀତି କାମ କରୁ ନାହିଁ। ଶାନ୍ତି ପାଇଁ ସମଗ୍ର ବିଶ୍ୱ ଉଦ୍ୟମ କରୁଥିଲା ବେଳେ ଆଜି ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷିଆର ସେନା ବଡ଼ଧରଣର ଆକ୍ରମଣ କରିଛନ୍ତି। ଗୁଳିବର୍ଷା କାରଣରୁ ଜଣେ ଶିଶୁ ଓ ୬ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ଯୁଦ୍ଧ ଆଜି (ରବିବାର) ୧୮ ଦିନରେ ପହଞ୍ଚିଛି। ୟୁକ୍ରେନ୍ର ଦାବି ଯେ, ଖାରସେନରେ ରୁଷିଆର ୨ଟି ହେଲିକପ୍ଟର ଉପରେ ଆକ୍ରମଣ କରିଛି। ଜବାବରେ ରୁଷିଆର ସୈନିକମାନେ କିଭ ଓବ୍ଲାଷ୍ଟରେ ଲଗାତାର ବୋମାମାଡ଼ କରିଛନ୍ତି। ସେହିପରି କିଭର ଗ୍ରୀନ କରିଡର ଉପରେ ରୁଷୀୟ ସୈନିକ ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟରେ ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଉଥିଲା।
ଉଭୟ ଦେଶ ଶାନ୍ତି ପାଇଁ ପୁଣି ଥରେ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଛନ୍ତି। ରୁଷିଆ କ୍ରମାଗତ ଭାବେ ୟୁକ୍ରେନ୍ ଉପରେ ଆକ୍ରମଣ କରି ପ୍ରବଳ କ୍ଷତି କରିଛି। ୟୁକ୍ରେନ୍ ମଧ୍ୟ ରୁଷିଆର ବହୁତ କ୍ଷତି କରିଥିବା ଦାବି କରୁଛି। ଏହାରି ମଧ୍ୟରେ ୟୁକ୍ରେନ୍ର ରାଷ୍ଟ୍ରପତି ଭଲୋହିମୀର ଜେଲେନ୍ସ୍କି ଜେରୁସେଲମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଭେଟିବାକୁ ପ୍ରସ୍ତାବ ରଖିଛନ୍ତି। ଜେଲେନ୍ସ୍କି କହିଛନ୍ତି ଯେ, ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କୁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବାକୁ ଅପିଲ କରିଛନ୍ତି।