ଦୁର୍ଘଟଣା ପରେ ଭ୍ୟାନ ଜଳିଗଲା: ୭ ଯାତ୍ରୀ ଜୀବନ୍ତ ଦଗ୍ଧ

ଉନ୍ନାଓ : ଉତ୍ତରପ୍ରଦେଶରର ଉନ୍ନାଓରେ ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଭ୍ୟାନରେ ନିଆଁ ଲାଗି ୭ ଜଣ ଲୋକେ ଜିଅନ୍ତା ଜଳିଯାଇଛନ୍ତି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଉତ୍ତରପ୍ରଦେଶର ଉନ୍ନାଓରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଉନ୍ନାଓ-ହରଦୋଇ ମାର୍ଗରେ ବାଙ୍ଗରମଉ କୋତବାଲୀ କ୍ଷେତ୍ର ଅନ୍ତର୍ଗତ ନସିରାପୁର ଗାଁ ନିକଟରେ ଘଟିଛି। ମୃତକଙ୍କ ମଧ୍ୟରେ ଭ୍ୟାନରେ ଚାଳକ ସମେତ ୨ ଯୁବକ, ୨ ଶିଶୁ, ୨ ମହିଳା ସମେତ ମୋଟ ୭ ଜଣ ଥିଲେ ବୋଲି ଜଣାପଡ଼ିଛି।

ସୂଚନା ଯୋଗ୍ୟ, ନସିରାପୁର ଗାଁ ନିକଟରେ ଗତକାଲି ସନ୍ଧ୍ୟାରେ ଟ୍ରକ ଓ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ପରେ ଗ୍ୟାସ ସିଲିଣ୍ଡରରେ ଚାଳିତ ହେଉଥିବା ଉକ୍ତ ଭ୍ୟାନରେ ନିଆଁ ଲାଗିଯିବାରୁ ପ୍ରାୟ ୭ ଜଣ ଲୋକେ ଜିଅନ୍ତା ଜଳିଯାଇଥିଲେ। ଭ୍ୟାନରେ ଖୁବ ଦ୍ରୁତ ଗତିରେ ନିଆଁ ବ୍ୟାପି ଯାଇ ସମ୍ପୂର୍ଣ୍ଣ ଭ୍ୟାନଟି ଜଳିଯାଇଥିଲା। ସେଥିରେ ଥିବା ଯାତ୍ରୀଙ୍କୁ ରକ୍ଷା କରିବାକୁ କୌଣସି ସୁଯୋଗ ମଧ୍ୟ ମିଳିନଥିଲା।

ଖବର ପାଇବା ପରେ ଦମକଳର ୨ଟି ଗାଡ଼ି ସହ କର୍ମଚାରୀ ମଧ୍ୟ ନିଆଁ ଲିଭାଇବା କାର୍ୟ୍ୟରେ ଲାଗି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ନିଆଁ ଲିଭିଲା ବେଳକୁ ଯାତ୍ରୀଙ୍କ ଶରୀରର ପୋଡ଼ି ପାଉଁଶ ହୋଇଯାଇଥିଲା। ଉକ୍ତ ସମୟରେ ଉନ୍ନାଓ-ହରଦୋଇ ମାର୍ଗରେ ଯାତାୟତ ବନ୍ଦ ରହିଥିଲା। ପାୟ ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର ହେବା ପରେ ଯାତାୟତ ସମ୍ଭବପର ହୋଇଥିଲା।