ଅଟୋରିକ୍ସା ସହ ୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଅବକାରୀ ବିଭାଗ ଜିଲ୍ଲା ଫ୍ଲାଇଂ ସ୍କ୍ୱାର୍ଡ ଓ ସଦର ଅବକାରୀ ଦ୍ୱାରା ପାଡୁଆ ଥାନା ବାଇଲିଗୁଡ଼ା ଛକରୁ ଏକ ଅଟୋରିକ୍ସା ଓ ୭ଲକ୍ଷ ଟଙ୍କାର ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ବାଇଲିଗୁଡ଼ାରୁ ଆନ୍ଧ୍ରପ୍ରଦେଶକୁ ଏକ ଅଟୋରିକ୍ସାରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଡିଏଫଏସ୍ ଟିମ୍ ଓ ସଦର ଅବକାରୀ କର୍ମଚାରୀ ଅଭିଯାନ ଆରମ୍ଭ କରିଥିଲେ। କୋରାପୁଟ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆଙ୍କ ତତ୍ୱାବଧାନରେ ଭାରପ୍ରାପ୍ତ ଡିଏଫଏସ୍ ଇନ୍ସପେକ୍ଟର ଦିଲ୍ଲୀପ ରଥ, ସବଇନ୍ସପେକ୍ଟର ଖଗେଶ୍ୱର କୋଟ୍ଟା, ଏଏସଆଇ ଅରୋପଲକ ଦାଶ, କନେଷ୍ଟବଳ ତ୍ରିଲୋଚନ ରାୟଚେଟ୍ଟୀ ଓ ଅନ୍ୟମାନେ ସମ୍ପୃକ୍ତ ଅଟୋରିକ୍ସାକୁ ବାଇଲିଗୁଡ଼ା ଛକରେ କାବୁ କରି ଯାଞ୍ଚ କରିବା ବେଳକୁ ସେଥିରୁ ୨ଟି ଜରି ଅଖାରେ ପେକିଂ କରାଯାଇଥିବା ୭୩ କିଲୋ ୩୨୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ। ଘଟଣାରେ ବିଭାଗ ଅଟୋ ଚାଳକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ଅନନ୍ତଗିରି ଥାନା ୱାଲିସି ଗ୍ରାମର ଶ୍ରିଗାମ୍ କ୍ରିଷ୍ଣା ମୂର୍ତ୍ତୀକୁ ଗିରଫ କରି ଏନଡିପିଏସ୍ ଆକ୍ଟ୍ ଅନୁଯାୟୀ କୋର୍ଟ ଚାଲାଣ କରିଥିବା ଡିଏଫଏସ୍ ଇନ୍ସପେକ୍ଟର ଦିଲ୍ଲୀପ ରଥ ସୂଚନା ଦେଇଛନ୍ତି।