ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ। ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ସ୍ଥିତି ବିଗିଡିଛି। ଦୂଷିତ ପାଣି ପାଇଁ ଏହିଭଳି ଘଟୁଥିବା ଲୋକେ କହିଛନ୍ତି। ସ୍ଥିତି ଅନୁଧ୍ୟାନ ପାଇଁ କୋରାପୁଟ ମେଡିକାଲ କଲେଜରୁ ଏକ ସ୍ଵତନ୍ତ୍ର ମେଡିକାଲ ଟିମ୍ ଆଜି ଆସି ଟିକିରି ଠାରେ ପହଞ୍ଚି ଚିକିଛା ଆରମ୍ଭ କରିଛନ୍ତି । କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଆକ୍ରାନ୍ତ ହୋଇ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି। ଏତଦବ୍ୟତୀତ ୭୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସଙ୍କଟାପନ୍ନ ଅବସ୍ଥାରେ ଥିବା ୫ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି।
ଗତ ୮ ଦିନ ଧରି ସମସ୍ତେ ଆକ୍ରାନ୍ତ ହୋଇଥିଲେ। ଆଉ ଏହାପରେ ମୃତ୍ୟୁ ଘଟିଛି ଓ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ଏତଦବ୍ୟତୀତ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ନୂଆପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗୁରୁତର ମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି । କାଶୀପୁର ବ୍ଲକର ଚାରିଟି ମେଡିକାଲରେ ୭୦ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର ହୋଇଥିବା ରୋଗୀ ଅବସ୍ଥାରେ ଉନ୍ନତି ଘଟୁନାହିଁ। ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଣେ ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ବାସିନ୍ଦା ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ପାଣିକୁ ଦାୟୀ କରିଛନ୍ତି। ଏଭଳିକି ଦୂଷିତ ପାଣି ଯୋଗୁଁ ଏହା ହଇଜା ହୋଇଥିବା ଅନୁମାନ କରାଯାଉଛି । ଏଭଳିକି ଏହା ମହାମାରୀ ଆଡକୁ ମୁଁହାଉଥିବା ଭଳି ସ୍ଥିତିଉପୁଜିଛି । ବିଭିନ୍ନ ଗ୍ରାମରେ ଝାଡାବାନ୍ତି ବ୍ୟାପି ୭୦ ରୁ ଉର୍ଦ୍ଧ୍ୱବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଗାଁକୁ ଏହା କବଳିତ କରିବାରେ ଲାଗିଛି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଉତ୍କଳ ଆଲୁମିନାର ଉତ୍କଳ ହସପିଟାଲର ରିପୋର୍ଟ ମୁତାବକ ବିଗତ ଏକ ସପ୍ତାହ ଧରି ଉତ୍କଳ ହସପିଟାଲ, ଓଷାପଡାରେ ୧୨୨ ଜଣ ଡାଇରିଆ ରୋଗୀ ପଞ୍ଜିକୃତ ହୋଇଛନ୍ତି, ଯେଉଁମାନେ ଡାଇରିଆ ଏବଂ ତରଳ ଝାଡାରେ ଆକ୍ରାନ୍ତ ଥିବା ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୭୪ ଜଣ ରୋଗୀଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଇ ଘରକୁ ପଠାଯାଇଥିବା ବେଳେ ୪୮ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଥିବା ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠିଛି ସପ୍ତାହ ପୂର୍ବରୁ ଯଦି ଡାଇରିଆ ଦେଖାଦେଲାଣି ତେବେ କାହିଁକି ପ୍ରାଥମିକ ସ୍ତରରୁ ଚିକିଛା କରାଗଲା ନହିଁ ଯାହାଫଳରେ ଝାଡାବାନ୍ତି ଏବେ ମୃତ୍ୟୁର ତାଣ୍ଡବ ଲୀଳାରଚି ୭ ଜଣଙ୍କ ଜୀବନ ନେଲାଣି ।
ତେବେ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ପ୍ରଥମ ଦିନରୁ ଗୁରୁତ୍ଵ ଦେଇନଥିଲା ବୋଲି ଅଭିଯୋଗ ହୋଇଛି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ମଧ୍ୟ ବିଶୁଦ୍ଧ ଜଳଯୋଗାଣ ପାଇଁ ଫେଲ୍ ମାରିଛି। ଏଭଳିକି ଗତ ଗୁରୁବାର ପର୍ଯ୍ୟନ୍ତ କୌଣସି ସୂଚନା ନଥିଲା। ଫଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ପହଞ୍ଚି ପାରିନଥିଲା। ଆଜି ଓ ଗତକାଲି ମେଡିକାଲ ଟିମ୍ ବିଭିନ୍ନ ଗାଁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। ଆଜି କୋରାପୁଟ ଏସଏଲଏନ ମେଡିକାଲ କଲେଜରୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ବିଭିନ୍ନ ଗାଁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। ସେହିଭଳି ଭୁବନେଶ୍ୱର ଆରଏମଆରସି ଟିମ୍ ଆଜି ଅପରାହ୍ନରେ ଆସୁଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ବଧା ଦେବ ସିଂ, ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ଗାଁ ଗସ୍ତ କରିଛନ୍ତି। ଜିଲ୍ଲା ସଦରମହକୁମା ଠାରୁ ତିନୋଟି ମେଡ଼ିକାଲ ଟିମ୍ ଯାଇଥିବା ସୂଚନା ହସ୍ତଗତ ହୋଇଛି। ଏଥିସହ ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ବିଭିନ୍ନ ଗାଁ ମାନଙ୍କରେ ନଳକୂପ ଓ ଜଳଉତ୍ସ ସଫେଇ ସହ ବିଶୋଧନ କରୁଥିବା କହିଛନ୍ତି ରାୟଗଡ଼ା ସିଡିଏମଓ ଲାଲମୋହନ ରାଉତରାୟ।
ଗତକାଲି ଜିଲ୍ଲାପାଳ ସ୍ୱଧା ଦେବ ସିଂ ଓ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦେଶକ ଡାଇରିଆ ପ୍ରଭାବିତ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ସଂକ୍ରମିତ ଗ୍ରାମ ଗୁଡିକୁ ତୁରନ୍ତ ବିଶୋଧନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ରୋଗୀଙ୍କ ଚିକିତ୍ସା ନିମନ୍ତେ କଣ ସବୁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ । ଦୁଡୁକାବାହାଲ ଗ୍ରାମକୁ ଯାଇ ମୃତକ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହିତ ଗ୍ରାମବାସୀ ମାନେ ପିଇବା ପାଇଁ ବ୍ୟବହାର କରୁଥିବା କୂଅଁ ବୁଲି ଦେଖିିଥିଲେ । ମୃତକ ପରିବାରକୁ ରେଡକ୍ରସରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କାଶିପୁର ବିଡିଓଙ୍କୁ ନିର୍ଦେଶ ଦେଇଥିଲେ ।
ଉଷାପଡା ସ୍ଥିତ ଉତ୍କଳ ଆଲୁମିନା ମେଡିକାଲକୁ ଯାଇ ସେଠାକାର ଡାକ୍ତର ଓ ଉତ୍କଳ ଆଲୁମିନାର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ଆବଶ୍ୟକ ପଡିଲେ ଡାଇରିଆ ରୋଗୀଙ୍କୁ ଉତ୍କଳ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯିବ ଏବଂ ଏଥି ପାଇଁ ୩୦ ଶଯ୍ୟା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ପ୍ରତିବର୍ଷ ଏହିଭଳି ଘଟୁଥିବା କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ତେବେ କାହିଁକି ବାରମ୍ବାର ଏହାର ପୁନରାବୃତ୍ତି ଘଟୁଛି ତାହା ଅନୁସନ୍ଧାନ ସହିତ ସ୍ଥାୟୀ ପ୍ରତିକାର ଜରୁରୀ।